ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ‘ଫାଇଜର’
1 min read
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଏନେଇ ଡିଜିସିଆଇ ନିକଟରେ ଆବେଦନ କରିଛି ଔଷଧ ପ୍ରସ୍ତୁତକାରୀ କଂପାନି ଫାଇଜର୍ ଇଣ୍ଡିଆ । କଂପାନୀ ପକ୍ଷରୁ, ଦେଶରେ ଟିକା ଆମଦାନୀ ଓ ବିତରଣ ନେଇ ମଞ୍ଜୁରୀ ପ୍ରଦାନ କରିବାକୁ ଆବେଦନ କରାଯାଇଛି ।
ଔଷଧ ଓ କ୍ଲିନିକାଲ୍ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟା ଅନୁଯାୟୀ କ୍ଲିନିକାଲ ପରୀକ୍ଷଣରେ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଫାଇଜର୍ ଭାରତ ଶାଖାରେ ପ୍ରସ୍ତୁତ ହୋଇଛି ଏହି କୋଭିଡ୍ ଟିକା । ଗତ ବୁଧବାର ବ୍ରିଟେନ୍ ଫାଇଜର୍ର କୋଭିଡ୍-୧୯ ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା ।
ସୂଚନା ଅନୁଯାୟୀ ଫାଇଜର-ବାୟୋଏନଟେକର ଟିକାକୁ ବ୍ରିଟେନ୍ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ମେଡିସିନ୍ ଏବଂ ହେଲ୍ଥ କେୟାର ରେଗୁଲଟୋରି ଏଜେନ୍ସିର ଅନୁମତି ପରେ ବ୍ରିଟେନ୍ ସରକାର ଏହି ଅନୁମତି ପ୍ରଦାନ କରିଥିଲେ । ଏନେଇ ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବ୍ରିଟେନ୍ ସରକାର ୪୦ ନିୟୁତ୍ ଡୋଜ୍ ଅର୍ଡର କରିଥିଲେ । ଫାଇଜର ଟିକା ୯୫ ପ୍ରତିଶତ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ୬୫ରୁ ଅଧିକ ବର୍ଷର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କାମ ଦେବ ବୋଲି କୁହାଯାଉଛି ।