ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ

1 min read
Covid-19 vaccination may be disrupted in Odisha As Low Stock

ଭୁବନେଶ୍ୱର: ରାଜ୍ୟରେ ଦେଖା ଦେଇପାରେ କରୋନା ଟିକା ଅଭାବ । ବାଧାପ୍ରାପ୍ତ ହୋଇପାରେ କୋଭିଡ୍ ଟିକାକରଣ । ରାଜ୍ୟରେ ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦିଆ ଯାଉଥିବା ବେଳେ କେନ୍ଦ୍ର ଆବଶ୍ୟକ ଷ୍ଟକ ପଠାଉ ନାହିଁ । ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ କୋଭିସିଲ୍ଡ ଟିକାର ୧୫ ଲକ୍ଷ ଡୋଜ୍ ପଠାଇବାକୁ ଅନୁରୋଧ କରିଥିଲେ । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ । ତେବେ ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଟିକା ନ ଆସେ ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଗତକାଲି ରାଜ୍ୟରେ ୨ ଲକ୍ଷ ୬୩ ହଜାର ୪୧ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ପ୍ରତିଦିନ ୨ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏବେ ତାହା ବୃଦ୍ଧି ପାଇଛି । ୫ ଦିନରେ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବା ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲ୍ଡ ଟିକା ମହଜୁଦ୍ ଅଛି । ହିଟୱେଭ ପାଇଁ ଆମେ ସରକାର ଟିକାକରଣ ସମୟ ପରିବର୍ତ୍ତନ କରିଛନ୍ତିଷ । କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ତେବେ ଆଶ୍ୱସ୍ତିର କଥା ମୃତ୍ୟୁହାର ନାହିଁ ।

କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇ ଯାଇଥିଲେ । ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ, ଗାଇଡଲାଇନର ଅନୁପାଳନ କରନ୍ତୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ୍ ଜନକ ନୁହେଁ । ଅଧିକ ଲୋକ ଟ୍ରେସିଂ, ଟେଷ୍ଟିଂ ହୋଇ ଆଇସୋଲେସନ କରାଯିବା ଭଲ । ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଆରଟି-ପିସିଆର ଟେଷ୍ଟିଂ ରିପୋର୍ଟ ଧରି ଆସିବାକୁ କୁହାଯାଇଛି  । ରାଜ୍ୟରେ ମେଡିସିନ୍ ଓ ବେଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ । ବର୍ତ୍ତମାନ କଟକଣା ଅପେକ୍ଷା ସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି ।

ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିସନର ମାନଙ୍କୁ କୁହାଯାଇଛି ସ୍ଥିତି ଦେଖି ନିଷ୍ପତ୍ତି ନେବା ଲାଗି । ଯେଉଁଠି ଆବଶ୍ୟକ ପଡ଼ିବ ସେଠି ପଦକ୍ଷେପ ନିଆଯିବ । ଅଯଥା ଟେଷ୍ଟିଂ କରିବା ଅପେକ୍ଷା ଆମେ ଟାର୍ଗେଟେଡ୍ ଟେଷ୍ଟିଂ କରୁଛୁ । ତେଣୁ ଏବେ ଟେଷ୍ଟିଂ ଟିକିଏ କମ୍ ରହିଛି । ଆଗକୁ ଧୀରେ ଧୀରେ ଟେଷ୍ଟିଂ ବଢ଼ାଯିବ । କାମ ନଥିଲେ ପଡ଼ୋଶୀ ରାଜ୍ୟକୁ ନ ଯିବା ପାଇଁ ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକର ଲୋକମାନଙ୍କୁ ସଚେତନ କରାଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave a Reply