କରୋନା ଟିକା ନେବା ପରେ କରୋନାରୁ ହେଉଛିକି ମୃୃତ୍ୟୁ ? ଆସିଲା ICMRର ନୂଆ ତଥ୍ୟ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି କରୋନା ଟିକା। ଟିକା ଏବେ ଆମ ଜୀବନରେ ସଞ୍ଜିବନୀ ହୋଇ ଉଭା ହୋଇଛି। କିନ୍ତୁ ଏହି ଟିକାକୁ ନେଇ ଏବେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ବୈଜ୍ଞାନିକମାନେ ମଧ୍ୟ ଅଧ୍ୟନ ଉପରେ ଅଧ୍ୟନ କରିଚାଲିଛନ୍ତି। ଟିକାର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍‌ ଗ୍ରହଣ କରିବା ପରେ, କରୋନା ଶରୀର ଉପରେ ଏହାର ପ୍ରଭାବ ଜାଣିବା ପାଇଁ ଏକ ନୂତନ ଅଧ୍ୟୟନ କରାଯାଇଛି।  ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ଆଇସିଏମଆର ଏହି ଅଧ୍ୟୟନ ଟିକା ନେବା ପରେ କରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ଜିନୋମ ବିଶ୍ଳେଷଣ ଉପରେ ଆଧାରିତ।

ICMRର ଏହି ଅଧ୍ୟୟନ ହେଉଛି ଭାରତର ଲୋକମାନଙ୍କ ଉପରେ କରାଯାଇଥିବା ପ୍ରଥମ ଅଧ୍ୟୟନ ଯାହା ଟିକାକରଣ ପରେ କରୋନା ସଂକ୍ରମିତ ଲୋକଙ୍କ ଉପରେ କରାଯାଇଛି। ୬୭୭ ଜଣଙ୍କ ଉପରେ କରାଯାଇଥଲା ଏହି ଅଧ୍ୟୟନ। ଅଧ୍ୟୟନରୁ ଜଣାପଡ଼ିଲା ଟିକା ନେଇଥିବା ଅଧିକାଂଶ ଲୋକ ଡେଲଟା ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଆରଟି- PCR ପାଇଁ ଭାରତର ୧୭ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୬୭୭ ଜଣଙ୍କୁ ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୭୧ ପ୍ରତିଶତ ବା ୪୮୨ ଲୋକଙ୍କର କରୋନା ଲକ୍ଷଣ ଥିବାବେଳେ ମାତ୍ର ୨୯ ପ୍ରତିଶତ ଲୋକଙ୍କର ରହିଥିଲା ବିନାଲକ୍ଷଣ କରୋନା।

ଏଥିମଧ୍ୟରୁ ୬୯% ଲୋକଙ୍କର ଜ୍ୱର, ୫୬% ଲୋକଙ୍କର ମୁଣ୍ଡବିନ୍ଧା ଏବଂ ବାନ୍ତି, ୪୫% ଲୋକଙ୍କର କାଶ, ୩୭% ଲୋକଙ୍କର ଗଳାରେ ଯନ୍ତ୍ରଣା, ୨୨% ଲୋକଙ୍କର ଗନ୍ଧ ଏବଂ ସ୍ୱାଦକୁ ଚିହ୍ନିବାରେ ଅସମର୍ଥ ହେବା, ୬% ଲୋକଙ୍କର ଡାଇରିଆ, ୬% ଲୋକମାନଙ୍କର ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରାଯାଉଥିଲା ଏବଂ ଏକ ପ୍ରତିଶତ ଲୋକ ଆଖିରେ କଷ୍ଟ ଏବଂ ଲାଲ ହେବା ଭଳି ଲକ୍ଷଣ ଦେଖାଯାଇଥିଲା।

ଅଧ୍ୟୟନ ଅନୁଯାୟୀ, ଭାରତର ଦକ୍ଷିଣ, ପଶ୍ଚିମ, ପୂର୍ବ ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳର ଅଧିକାଂଶ ଲୋକ ମୁଖ୍ୟତଃ ଡେଲଟା ଏବଂ କପା ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥି ସହିତ, ଉତ୍ତର ଏବଂ କେନ୍ଦ୍ରୀୟ ଅଞ୍ଚଳରେ ସମସ୍ତ ତିନୋଟି ପ୍ରକାରର ଆଲଫା, ଡେଲଟା ଏବଂ କପ୍ପା ଦ୍ୱାରା ସଂକ୍ରମିତ ଦେଖିବାକୁ ମିଳିଥିଲା। ଅବଶ୍ୟ, ଏହି ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଡେଲ୍ଟା ଭ୍ୟାରିଆଣ୍ଟ ବୋଲି ଜଣାପଡିଛି।

ସବୁଠାରୁ ବଡ଼ କଥା ହେଉଛି ଟିକାକରଣ ପରେ ସଂକ୍ରମଣ ହେତୁ ମୃତ୍ୟୁ ହାର ବହୁତ କମ୍ ଥିବା ଜଣାପଡିଛି। କରୋନା ଦ୍ୱାରା ଶିକାର ହୋଇଥିବା ୭୧ ଜଣଙ୍କୁ କୋଭାକ୍ସିନ ମିଳିଥିବାବେଳେ ୬୦୪ ଜଣଙ୍କୁ କଭସିଲ୍ଡ ମିଳିଥିଲା। ​​ଏଥି ସହିତ ଦୁଇ ଜଣଙ୍କୁ ଚାଇନାର ସିନୋଫାର୍ମ ଟିକା ମିଳିଥିଲା। ଏହି ସମସ୍ତ ଲୋକଙ୍କ ମଧ୍ୟରୁ କେବଳ ୩ ଜଣଙ୍କର ମୃତ୍ୟୁ ଘଟିଛି। ଟିକା ନେବା ପରେ  ମାତ୍ର ୯.୮ % ଲୋକ କରୋନା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୦.୪% ଲୋକଙ୍କର ମୃତ୍ୟୁ ହୋଇଥିଲା। ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଟିକା କରୋନା ଦ୍ୱାରା ହେଉଥିବା ମୃତ୍ୟୁରୁ ସୁରକ୍ଷା ଦେଇଥାଏ। ତେବେ ଟିକା ପାଇବା ପରେ କରୋନା ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ବହୁତ କମିଯାଏ।

Leave a Reply