ବାତ୍ୟା ‘ୟାସ୍’: ୬ ଜିଲ୍ଲାରେ ଟେଷ୍ଟିଂ, ଟିକାକରଣ ଓ ସର୍ଭେ ବନ୍ଦ

1 min read

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୭ ତାରିଖ ଯାଏଁ ୬ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟିକାକରଣ ଓ ଡୋର ଟୁ ଡୋର୍ ସର୍ଭେକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ଚିଠି ଲେଖି ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଉକ୍ତ ଜିଲ୍ଲାଗୁଡିକ ମଧ୍ୟ୍ୟରେ ରହିଛି ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା । ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଗତକାଲି ମଧ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ କରୋନା ଟେଷ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ କୋଭିଡ ଟିକାକରଣ ଓ ଡୋର୍ ଟୁ ଡୋର୍ ସର୍ଭେ ବନ୍ଦ ପାଇଁ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ, ବାତ୍ୟା ଏବେ ପାରାଦୀପ ଠାରୁ ଦକ୍ଷିଣ-ପୂର୍ବଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଅଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ବାତ୍ୟା ଗତି କରୁଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଧାମରାର ଉତ୍ତରରେ ଥିବା ବାହାନଗା, ବାସୁଦେବପୁର ଅଞ୍ଚଳ ଦେଇ ବାତ୍ୟା ଗତି କରିବ । ମୟୂରଭଞ୍ଜ, କେନ୍ଦୁଝର ଦେଇ ବାତ୍ୟା ଝାଡ଼ଖଣ୍ଡ ଯିବ । ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ରହିବ ।

 

ଗତକାଲିଠାରୁ ବର୍ଷା ଜାରି ରହିଛି । ସକାଳେ ପବନର ବେଗ ଅଧିକ ରହିବ, ସନ୍ଧ୍ୟାରେ ପବନ କମିବ । ଲ୍ୟାଣ୍ଡଫଲ ପଏଣ୍ଟର ଡାହାଣକୁ ସମୁଦ୍ରରେ ଜୁଆର ୪ ମିଟର ଉଚ୍ଚରେ ଆସିବ । ବାମ ପଟରେ ଜୁଆର ୨ରୁ ୩ ମିଟର ଉଚ୍ଚରେ ଆସିବ । ଲୋକଙ୍କୁ ସ୍ଥାନାନ୍ତରଣ ଚାଲିଛି । କଚ୍ଚାଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଛି । ଜୁଆର ଆସିବାକୁ ଥିବା ଅଞ୍ଚଳରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଛୁ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ତା ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ପ୍ରଭାବ ରହିବ । ଭିତରକନିକା ଓ ପାରାଦୀପ ଅଞ୍ଚଳରେ ପବନର ବେଗ ଅଧିକ ରହିବ ।

Leave a Reply