ଭାରତ-ଇସ୍ରାଇଲର ମିଳିତ ଅନୁସନ୍ଧାନ: ଆସିବ ନୂଆ ଟେକ୍ନୋଲୋଜି, ଟ୍ୟୁବ୍ ଭିତରେ ଫୁଙ୍କ ମାରି କରାଇବେ କରୋନା ଟେଷ୍ଟିଂ….

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟିଂ କ୍ଷେତ୍ରରେ ନୂଆ ନୂଆ ପ୍ରଯୁକ୍ତବିଦ୍ୟା ଯୋଡ଼ି ହେବାରେ ଲାଗିଛି । ଯେହେତୁ ଭ୍ୟାକ୍ସିନ ଆସିପାରିନି, କିଭଳି ଭାବେ ଟେଷ୍ଟିଂକୁ ଅଧିକ ସରଳ ଓ ଉପଦେୟ କରି ହେବ ସେନେଇ ଜ୍ଞାନକୌଶଳ ବିକାଶ ହେବାରେ ଲାଗିଛି । ତେବେ ଇସ୍ରାଇଲ ଓ ଭାରତ ଏଭଳି କରିବାରେ ଏକ ଉଲ୍ଲେଖନୀୟ ସଫଳତା ହାତେଇଛନ୍ତି ।  ଖୁବ୍ ଅଳ୍ପଦିନ ଭିତରେ ଭାରତ ଓ ଇସ୍ରାଇଲର ମିଳିତ ପ୍ରଚେଷ୍ଟାରେ ପ୍ରସ୍ତୁତ ହେବ ସୁପର ରାପିଡ୍ ଟେଷ୍ଟ । ସଂକ୍ରମିତ ଚିହ୍ନଟ କରିବାରେ ପ୍ରକ୍ରିୟା ସରଳ ହେଲେ ଲୋକଙ୍କଠାରେ ଟେଷ୍ଟିଂ ଅଧିକ ଆଦୃତ ହେବ ବୋଲି ଆଶା ରଖାଯାଇଛି । ନୂଆ ସୁପର ରାପିଡ୍ କିଟ୍ ପ୍ରସ୍ତୁତ ହେଲେ, ପ୍ରାୟ ୧ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତି ନିଜ ସଂକ୍ରମଣ ନେଇ ତଥ୍ୟ ପାଇପାରିବେ । ଭାରତରେ ଥିବା ଇସ୍ରାଇଲ ରାଷ୍ଟ୍ରଦୂତ ମତ ରଖି କହିଛନ୍ତି ଯେ, ଏଭଳି ସୁପର ରାପିଡ୍ କିଟକୁ ବିମାନବନ୍ଦରରେ ପ୍ରମୁଖ ଭାବେ ବ୍ୟବହାର କରାଯାଇପାରିବ । ଏଥିପାଇଁ ନମୁନାକୁ ଲ୍ୟାବକୁ ମଧ୍ୟ ନେବାକୁ ପଡିବ ନାହିଁ ।

କିଭଳି ହେବ ଟେଷ୍ଟିଂ –

ଏବେ ହେଉଥିବା ରାପିଡ୍ ଟେଷ୍ଟଠାରୁ ନୂଆ ଟେଷ୍ଟିଂ ପ୍ରଣାଳୀ ଆହୁରି ସରଳ ହେବ । ନିର୍ଦ୍ଧାରିତ ପାଇପରେ ଜୋର ଦେଇ ଫୁଙ୍କିବାକୁ ପଡିବ । ଏହାର ପ୍ରାୟ ୪୦ରୁ ୫୦ ସେକେଣ୍ଡ ମଧ୍ୟରେ କରୋନା ରିପୋର୍ଟ ଜଣାପଡ଼ିବ । ଏହା ସରଳ ହେବା ସହ ସମୟ ଉପଯୋଗୀ ମଧ୍ୟ । ସେହିଭଳି ରାପିଡ୍ ଟେଷ୍ଟରେ ସ୍ୱାବ ସଂଗ୍ରହ ସମୟରେ ଲୋକଙ୍କୁ କଷ୍ଟ ହେଉଥିଲା । ପାଇପକୁ ନାକ ଓ ପାଟିରେ ପୁରାଇ ସ୍ୱାବ ସଂଗ୍ରହ ହେଉଥିଲା । ମାତ୍ର ଏହି ଟେକ୍ନୋଲୋଜି ବିକଶିତ ହେବା ପରେ ଏସବୁ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶ ଏବେ ମଧ୍ୟ ଭ୍ୟାକ୍ସିନ୍ ବିକାଶ କରିବା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଇସ୍ରାଇଲ ରାଷ୍ଟ୍ରଦୂତ କହିଛନ୍ତି ଯେ ଭ୍ୟାକ୍ସିନ ବିକାଶ କରିବା ଦିଗରେ ଚାଲୁଥିବା ସବୁ ପ୍ରଯୁକ୍ତି ବିଦ୍ୟା ଦୁଇ ଦେଶ ମଧ୍ୟରେ ବଣ୍ଟାଯିବ । ଉଭୟ ଦେଶ ପରସ୍ପରକୁ ସହଯୋଗ କରି ଭ୍ୟାକ୍ସିନ ବିକାଶ କରିବାରେ ଉଦ୍ୟମ ଜାରି ରଖିବେ । ସେହିଭଳି ଭ୍ୟାକ୍ସିନ ବିକଶିତ ହେବା ପରେ ଉତ୍ପାଦନ କ୍ଷେତ୍ରରେ ଇସ୍ରାଇଲକୁ ଭାରତ ସବୁ ପ୍ରକାର ସହଯୋଗ କରିବ ।

Leave a Reply