‘କୋଭିଡ୍ ସମ୍ବନ୍ଧୀୟ ମେଡିକାଲ ଉପକରଣ ଉପରେ ଛାଡ଼ କରାଯାଉ GST’

ନୂଆଦିଲ୍ଲୀ: ଟିକା ଓ କୋଭିଡ୍ ସମ୍ବନ୍ଧୀୟ ମେଡିକାଲ ଉପକରଣ ଉପରେ ଜିଏସଟି ଛାଡ଼ କରାଯାଉ । ଏହାସହ କୋଭିଡ ମହାମାରୀ ଯୋଗୁ ଯେଉଁ କ୍ଷତି ହୋଇଛି, ତାର ଭରଣା ନେଇ କିଛି ନିଷ୍ପତ୍ତି ନିଆଯାଉ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିଥିବା ୪୩ତମ ଜିଏସଟି ପରିଷଦ ବୈଠକରେ ଏଭଳି ଦାବି କରିଛି ଓଡ଼ିଶା । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ମହାମାରୀ ସମୟରେ ଅକ୍ସିଜେନ, ଭେଣ୍ଟିଲେଟର, ଟିକା ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉପରେ ଜିଏସ୍‌ଟି ଛାଡ କରିବା ପାଇଁ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି । ଗତ 6 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଟିକା ଉପରେ ଜିଏସଟି ହଟାଇବା ନିଷ୍ପତ୍ତି ଯଦି ନିଅନ୍ତି ତେବେ ଟିକା କମ୍ପାନୀମାନେ ଟିକାର ମୂଲ୍ୟ ବଢାଇଦେବାର ଆଶଙ୍କା ଅଛି । ଏପରି ସ୍ଥିତିରେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ସ୍ଥିତିକୁ ଆୟତ୍ତ କରିପାରିବେ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ।

Leave a Reply