ବ୍ରିଟେନ୍‌ରେ ବଢ଼ିବାରେ ଲାଗିଛି କୋରୋନା ସଂକଟ, ଚିହ୍ନଟ ହେଲେ ୯୩ ହଜାରରୁ ଅଧିକ ସଂକ୍ରମିତ

ବ୍ରିଟେନ: ଦିନକୁ ଦିନ ବ୍ରିଟେନରେ ବିଗିଡିବାରେ ଲାଗିଛି କୋଭିଡ ସ୍ଥିତି। ଗୋଟିଏ ଦିନରେ ଠାବ ହେଲେ ୯୩ ହଜାରରୁ ଅଧିକ ସଂକ୍ରମିତ। କରୋନା କମି ଆସୁଥିବା ବେଳେ ଏବେ ଓମିକ୍ର ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି। କ୍ରମାଗତ ତିନି ଦିନ ଧରି କରୋନା ଚେନରେ ଲାଗୁନି ବ୍ରେକ। ଏହାକୁ ମିଶାଇ ବ୍ରିଟେନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧ କୋଟି ୧୧ ଲକ୍ଷ। ଏହାସହ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧୧୧ ଜଣ।

ସେପଟେ ସ୍କଟଲ୍ୟାଣ୍ଡରେ ବି ଚିନ୍ତା ବଢାଇଛି ଓମିକ୍ରନ। ପ୍ରତିଦିନ ଅଧିକରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପଟେ ଫ୍ରାନ୍ସରେ ବି ସ୍ଥିତି ଅସମ୍ଭାଳ ହୋଇଛି। ଏବେ ଫ୍ରାନ୍ସରେ ଦୈନିକ ୬୫ ହଜାରରୁ ଅଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଯେଉଁଥିରୁ କେବଳ ୨.୪ ପ୍ରତିଶତ ହେଉଛନ୍ତି ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ। ଏହି ଦୁଇ ଦେଶରେ ଓମିକ୍ରନ ସଂକ୍ରମଣ ବ୍ୟାପକ ହେବାରେ ଲାଗିଥିବା ବେଳେ, ଭାରତର ୧୧ଟି ରାଜ୍ୟରେ ଠାବ ହେଲେଣି ୧୦୧ ଓମିକ୍ରନ ସଂକ୍ରମିତ।

ବ୍ରିଟେନ ଓ ଫ୍ରାନ୍ସରେ ଯେଉଁ ହାରରେ କୋଭିଡ ସଂକ୍ରମଣ ଜାରି ରହିଛି, ସେହି ଧାରା ଯଦି ଲାଗି ରହେ ତେବେ ଭାରତରେ ଦୈନିକ ୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେବେ ବୋଲି କହିଛନ୍ତି କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭି.କେ. ପଲ। ଏହାକୁ ମୁକାବିଲା କରିବା ଲାଗି ଦୂରଯାତ୍ରା, ଜନଗହଳି, ନୂଆ ବର୍ଷ ସେଲିବ୍ରେସନ ଆଦି ପ୍ରତି ସତର୍କ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି। କୋଭିଡ ପ୍ରଥମ ଓ ଦ୍ୱିତୀୟ ଲହରରେ ଦେଶର ଯେଉଁ ସବୁ ରାଜ୍ୟରେ କୋଭିଡସ୍ଥିତି ଜଟିଳ ହୋଇଥିଲା, ସେହି ସବୁ ରାଜ୍ୟରେ ହିଁ ଓମିକ୍ରନ ସ୍ଥିତି ଜଟିଳ ହେବାରେ ଲାଗିଛି।

ସେପଟେ ସେରମ ଇନଷ୍ଟିଚ୍ୟୁଟର କୋଭାଭାକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ଫଳରେ ବିଶ୍ୱବ୍ୟାପୀ ବ୍ୟବହୃତ ହେଉଥିବା ଟିକା ତାଲିକାରେ କୋଭାଭାକ୍ସ ସ୍ଥାନୀତ ହୋଇଛି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାଓ୍ୱାଲା। ସେ କହିଛନ୍ତି, କୋଭିଡ ବିରୋଧୀ ସଂଗ୍ରାମରେ ଆଉ ଏକ ମାଇଲଖୁଣ୍ଟି ସ୍ଥାପିତ ହୋଇଛି।

Leave a Reply