କରୋନାକୁ ନେଇ ବଡ ବୈଠକ, ପ୍ରତି ତିନି ମାସରେ ହେବ ଡାକ୍ତରଖାନାର ସମୀକ୍ଷା

1 min read

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା। ବଢି ଚାଲିଥିବା କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଦେଶରେ ବଢି ଚାଲିଥିବା ଥଣ୍ଡା ଜନିତ ରୋଗ ଏବଂ କୋଭିଡ-୧୯ ଭଳି ରୋଗର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିଲା।

କେରଳ ଓ କର୍ଣ୍ଣାଟକରେ ବଢି ଚାଲିଥିବା କରୋନାର ନୂଆ ଭାରିଆଣ୍ଟ JN1କୁ ନେଇ ସମୀକ୍ଷା ହୋଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଚଳିତ ନହୋଇ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ହସ୍ପିଟାଲ ଗୁଡିକରେ ଚିକିତ୍ସା ନେଇ ମକଡ୍ରିଲ କରିବା ସହ ପ୍ରସ୍ତୁତି ନେଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରତି ହସ୍ପିଟାଲରେ ୩ ମାସରେ ଥରେ ମକଡ୍ରିଲ କରିବା ଜରୁରୀ।

ରାଜ୍ୟ ଗୁଡିକରେ ଚିକିତ୍ସା ଓ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କରୋନା ମୁକାବିଲା ନେଇ ରାଜ୍ୟଗୁଡିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ବାସନା ଦେଇଛନ୍ତି। ଶୀତ ଋତୁରେ ଥଣ୍ଡା ଜନିତ ରୋଗର ପ୍ରତିକାର ଲାଗି ସମସ୍ତ ରାଜ୍ୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨ ହଜାର ୪୧ଟି ଆକ୍ଟିଭ କେସ ରହିଛି। କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ସେଠାକାର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସେପଟେ କରୋନା ସ୍ଥିତି ନେଇ ଓଡ଼ିଶା ମଧ୍ୟ ପ୍ରସ୍ତୁତ ରହିଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ଜଣେ ବି ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏବେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ବି ଶୂନ୍ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ। ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେମିତି ଟେଷ୍ଟ କରାଯିବ। ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି। କେନ୍ଦ୍ରର ଯାହା ନିର୍ଦ୍ଦେଶ ଆସିବ, ପାଳନ କରିବୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।