୩ ସପ୍ତାହ ପରେ ଭାରତରେ କୋଭିଡ୍ ୧୯ ସଂକ୍ରମଣ ୧୬% ହ୍ରାସ ପାଇଛି

ନୂଆଦିଲ୍ଲୀ : ଭାରତରେ ଏବେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଛି। ପଜିଟିଭ୍‌ ହାର ଅର୍ଥାତ ଟେଷ୍ଟିଂରୁ ସଂକ୍ରମଣ ଚିହ୍ନଟ ହାର ୩.୨୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ୯୪.୩୬ ପ୍ରତିଶତ ରହିଛି। ଏବେ ଦେଶରେ ମାତ୍ର ୪.୧୮ ପ୍ରତିଶତ ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୮୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏବଂ ୩୬,୦୧୧ ନୂଆ ମାମଲା ଚିହ୍ନଟ ହୋଇଛି। ଭାରତରେ କରୋନା ସଂକ୍ରମଣର ମୋଟ୍‌ ମାମଲା ୯୬,୪୪,୨୨୨ରେ ପହଞ୍ଚିଯାଇଛି। ବିଗତ ୨୪ ଘଣ୍ଟାରେ ୪୧ ହଜାର ୯୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୧,୦୦୭୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି ।

ଗତ ଚାରି ସପ୍ତାହ ମଧ୍ୟରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ନଭେମ୍ବର ୨୯ରୁ ଡିସେମ୍ବର ୬ ମଧ୍ୟରେ ୩,୫୩୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଭାରତରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଟିକାକରଣ। ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଦେଶରେ କୋଭିସିଲ୍‌ଡର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ।

 

ଏନେଇ ଡିସିଜିଆଇକୁ ଅନୁମତି ମାଗିଛି ସେରମ୍। ମହାମାରୀ ସମୟରେ ଚିକିତ୍ସା ଆବଶ୍ୟକତାକୁ ଆଖିରେ ରଖି ଅନୁମତି ମାଗିଛି । ଏହାପୂର୍ବରୁ ଫାଇଜର କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା । ଅନୁମତି ମିଳିଲେ ସାରା ଦେଶରେ ଟିକାକରଣ ସମ୍ଭବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗତ ୪ତାରିଖରେ କମ୍ପାନୀ ପକ୍ଷରୁ ଚିଠି ମାଧ୍ୟମରେ ସରକାରଙ୍କ ଠାରୁ ଅନୁମତି ମଗାଯାଇଛି। ପୂର୍ବ ନିୟମ ଅନୁଯାୟୀ ଭାରତରେ ଟିକାକରଣ କରିବାକୁ ହେଲେ କ୍ଲିନିକାଲ ଟ୍ରାଏଲରେ ଶତ ପ୍ରତିଶତ ସଫଳତା ପାଇବା ଆବଶ୍ୟକ । କିନ୍ତୁ ଫାଇଜର ତରଫରୁ ଏଭଳି କିଛି କ୍ଲିନିକାଲ ଟ୍ରାଏଲ କରାଯାଇନାହିଁ ବୋଲି ଜଣାପଡିଛି । ସେପଟେ ଗତକାଲି ଠାରୁ ଋଷିଆରେ ଆରମ୍ଭ ହୋଇଛି ଟିକାକରଣ । ପ୍ରାଥମିକ ପର୍ଯ୍ୟାୟରେ ମସ୍କୋରେ ୭୦ଟି କ୍ଲିନିକରେ ଟିକା ଦିଆଯାଇଛି । ଋଷିଆ ତିଆରି କରିଥିବା ସ୍ପୁଟନିକ ଭି ଟିକାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି

Leave a Reply