H3N2 ଆତଙ୍କ ଭିତରେ ବଢିଲା କରୋନା ଭୟ, ମୁମ୍ବାଇ ଓ ନାସିକରେ ବଢୁଛି ସଂକ୍ରମଣ

1 min read

ମୁମ୍ବାଇ: ମୁମ୍ବାଇ ଓ ନାସିକରେ ଫେରୁଛି କରୋନା । H3N2 ଭାଇରସ ଆତଙ୍କ ଭିତରେ ପୁଣି କୋଭିଡ ଭୟ । ନାସିକରେ ଗୋଟିଏ ଦିନରେ ୧୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପଟେ ଓଡ଼ିଶାରେ ବି ସତର୍କ ରହିଛି ସ୍ବାସ୍ଥ୍ୟ ବିଭାଗ । ଥଣ୍ଡା, କାଶ, ଛିଙ୍କ ଓ ଜ୍ବର ହେଉଥିଲେ ତୁରନ୍ତ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ସବୁ ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ କରାଯାଇଛି । ପୂର୍ବପରି ସର୍ଭେଲାନ୍ସ ବଢ଼ାଇବା ସହ ଅକ୍ସିଜେନ, ଆଇସିୟୁ ବେଡ୍ ପ୍ରସ୍ତୁତ କରି ରଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି । ପୂର୍ବପରି କୋଭିଡ ଟେଷ୍ଟ ଉପରେ ଗୁରୁତ୍ବ ଦେବାକୁ ଚିଠିରେ କୁହାଯାଇଛି ।

ପ୍ରାୟ ବର୍ଷେ ପରେ ପୁଣି କୋଭିଡ ଲେଉଟିବା ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ପୂର୍ବରୁ କରୋନା ମୁକାବିଲା ପାଇଁ ଯେଉଁ ଗାଇଡଲାଇନ ମାନିବାକୁ ପଡ଼ୁଥିଲା ପୁନଶ୍ଚ ସେହି ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଲକ୍ଷଣ ଦେଖାଗଲେ ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଭିଡ଼ ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାକୁ ବିଶେଷଜ୍ଞ କହିଛନ୍ତି  । ସେହିପରି H3N2 ଭାଇରସ ନେଇ ଲୋକଙ୍କୁ ସତର୍କ କରାଯାଇଛି ।