ନୂଆଦିଲ୍ଲୀ: କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି ।
ଏହା ମଧ୍ୟରେ କରୋନା ଟିକାର ମଞ୍ଜୁରୀ ଉପରେ ପ୍ରଶ୍ନ ଉଠିଛି। ଯାହାର ଜବାବ ରଖିଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗଭ। ସେ ଏହା ନିଶ୍ଚିତ କରିଛନ୍ତି ଯେ ଅନ୍ୟ ଟିକା ଅପେକ୍ଷା ଭାରତରେ ନିର୍ମିତ ଉଭୟ ଟିକା ଅଧିକ ପ୍ରଭାବଶାଳୀ।

ଟୀକାକରଣ କାର୍ଯ୍ୟକ୍ରମ କେବେଠୁ ଆରମ୍ଭ ହେବ? ଗଣମାଧ୍ୟମର ଏଭଳି ଏକ ପ୍ରଶ୍ନର ଉତ୍ତରରେ ଆଇସିଏମଆର ଡିଜି କହିଛନ୍ତି ଯେ, ଟିକାକୁ ଅନୁମୋଦନ କରାଯାଇଥିବା ବେଳେ ସେଗୁଡିକୁ ଷ୍ଟୋର କରାଯାଇଛି । ଅନେକ ରାଜ୍ୟରେ ଡ୍ରାଏ ରନ୍ କରାଯାଇଥିଲା ଯାହା ସଫଳ ମଧ୍ୟ ହୋଇଛି । ଟୀକାକରଣ କାର୍ଯ୍ୟକ୍ରମ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।
AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତ ବାୟୋଟେକର କୋଭାକ୍ସିନକୁ ବ୍ୟାକଅପ୍ ଭାବରେ ବ୍ୟବହାର କରାଯିବ। ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମ ପାଖରେ ଏବେ ଦୁଇଟି ଟିକା ରହିଛି । ଯଦିଓ ବ୍ରିଟେନରେ ଚିହ୍ନଟ ନୂଆ ଷ୍ଟ୍ରେନ୍ ଚିନ୍ତାର କାରଣ ପାଲଟିଛି । ଆମର ଟିକା ବ୍ରିଟେନର ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବଶାଳୀ ହେବ। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଷ୍ଟୋର୍ କରାଯାଇପାରିବ । ଆହୁରି ମଧ୍ୟ ଏହି ଟିକାର ଦୁଇଟି ଡୋଜ ୨୮ ଦିନ ମଧ୍ୟରେ ଦିଆଯିବ ।

