ଖୁବ୍ ଶୀଘ୍ର ପିଲାଙ୍କ ପାଇଁ କୋଭାକ୍ସିନକୁ ମିଳିପାରେ ‘WHO’ର ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: କୋଭାକ୍ସିନକୁ ନେଇ ପୁଣି ଆସିପାରେ ଆଉ ଏକ ବଡ଼ ନିଷ୍ପତ୍ତି। ଖୁବ୍ ଶୀଘ୍ର ପିଲାଙ୍କୁ କୋଭାକ୍ସିନ ଦେବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗ୍ରୀନ ସିଗନାଲ ଦେଇପାରେ । ଏନେଇ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି । ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା। ଏହା ଦ୍ୱାରା ସାରା ବିଶ୍ୱରେ କୋଭାକ୍ସିନର ଗ୍ରହଣୀୟତା ବଢିବା ସହ ପୃଥିବୀର କୌଣସି ଦେଶକୁ ଗଲେ ବି କୋଭାକ୍ସିନ ନେଇଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ସେ କହିଛନ୍ତି କୋଭାକ୍ସିନକୁ ଅନୁମତି ଦେବା ଲାଗି ‘ହୁ’ ଅନେକ ସମୟ ନେଇଛି। ଚୀନ ଦ୍ୱାରା ପ୍ରସ୍ତୁତ ଟିକାକୁ ‘ହୁ’ ଆଗୁଆ ଅନୁମତି ଦେଇଥିବା ପ୍ରସଙ୍ଗରେ ସେ କହିଛନ୍ତି ସାଧାରଣତଃ ଟିକାକୁ ଅନୁମତି ଦେବା ଲାଗି ୫୦ ରୁ ୬୦ ଦିନ ସମୟ ଲାଗିଥାଏ। ବେଳେ ବେଳେ ଏହା ୧୬୫ ଦିନ ହୋଇଥାଏ । ଚୀନର ସିନୋଫାର୍ମ ଓ ସିନୋଭାକ ଟିକାକୁ ୧୫୦ ଦିନ ପରେ ଅନୁମତି ଦିଆଯାଇଥିଲା। ଗର୍ଭବତୀଙ୍କ ଲାଗି କୋଭାକ୍ସିନ ନିରାପଦ କି ନାହିଁ ସେହି ପ୍ରସଙ୍ଗରେ ସ୍ୱାମୀନାଥନ କହିଛନ୍ତି, ଏବେ ବି ଏହାର ପ୍ରଭାବ ସମ୍ପର୍କରେ ଗବେଷଣା ଜାରି ରହିଛି। ଭାରତରେ ଅନେକ ଗର୍ଭବତୀ କୋଭାକ୍ସିନ ନେଇଛନ୍ତି। ଏହାର ଫଳାଫଳ ନେଇ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେହିପରି ଶିଶୁ ଓ ନବଜାତଙ୍କ କ୍ଷେତ୍ରରେ କୋଭାକ୍ସିନର ପ୍ରଭାବ ନେଇ ବିଭିନ୍ନ ତଥ୍ୟକୁ ସମୀକ୍ଷା କରାଯାଉଛି। ଏସଂକ୍ରାନ୍ତ ସମସ୍ତ ତଥ୍ୟ ଆସିଲେ ଖୁବ ଶୀଘ୍ର ପିଲାଙ୍କୁ ଟିକା ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।

Leave a Reply