କୋର୍ଟଙ୍କ ରାୟକୁ ବୈଜୟନ୍ତଙ୍କ ଇମ୍ଫା କମ୍ପାନୀର ବେଖାତିର, ମାଡ଼ିବସିଛନ୍ତି ୧୩ ଏକରରୁ ଅଧିକ ସରକାରୀ ଜମି

1 min read

ଭୁବନେଶ୍ୱର: ଖାଲି ଖୋର୍ଦ୍ଧା ସାରୁଅରେ ନୁହେଁ, ଚୌଦ୍ୱାରକୁ ବି ଲମ୍ବିଛି ଜମି କେଳେଙ୍କାରୀ । ଚୌଦ୍ୱାରରେ ୧୩ଏକରରୁ ଅଧିକ ଜମି ହଡ଼ପ କରିଛି ବୈଜୟନ୍ତ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ଇମ୍ଫା କମ୍ପାନୀ । ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଟାଙ୍ଗୀ- ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ଦାବି କରିଛି । ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ଆଜି କଟକ ଜିଲ୍ଲାପାଳଙ୍କୁ ଏଥି୍ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କପାଳେଶ୍ୱର ମୌଜାର ଏହି ଜମିକୁ ୨୦୦୩ ମସିହାରେ ଚଞ୍ଚକତା କରି ଇମ୍ଫା ନିଜ ନାଁରେ କରାଇନେଇଥିଲା ।

ଏକଥା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ କଟକ ଉପଜିଲ୍ଲାପାଳଙ୍କ କୋର୍ଟରେ ଅପିଲ କରିଥିଲେ । ମାମଲାର ତଦନ୍ତ କରି ଉପଜିଲ୍ଲାପାଳ ଇମ୍ଫାର ମ୍ୟୁଟେସନ ଖାରଜ କରିବା ସହ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଇମ୍ଫା କର୍ତ୍ତୃପକ୍ଷ ଏହାକୁ ଚାଲେଞ୍ଜ କରି ଜିଲାପାଳ ଓ ରାଜସ୍ୱ ପର୍ଷଦ ସଭ୍ୟଙ୍କ ନିକଟରେ ଆପିଲ କରିଥିଲେ । ଉଭୟ କୋର୍ଟ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ । ପରେ ଟାଙ୍ଗୀ- ଚୌଦ୍ୱାର ତହସିଲଦାର ସେହି ୧୩ ଏକର ୭ଡିସିମିଲ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିଲେ ।

ମାତ୍ର ଇମ୍ଫା କର୍ତ୍ତୃପକ୍ଷ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ସେହି ଜମିରେ ବେଆଇନ ଭାବେ ଘର, ରାସ୍ତା, ଆଦି ନିର୍ମାଣ କରିଛନ୍ତି । ତୁରନ୍ତ ଏହି ଜମିକୁ ଇମ୍ଫା କବ୍‌ଜାରୁ ଜବରଦଖଲ ମୁକ୍ତ କରିବା ପାଇଁ ଟାଙ୍ଗୀ- ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ଦାବି କରିଛି ।

Leave a Reply