ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ ହତ୍ୟାକାଣ୍ଡ; ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର: ବ୍ରହ୍ମପୁର ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ ହତ୍ୟାକାଣ୍ଡର ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ। ମୁଖ୍ୟ ଦୋଷୀ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ ସହ ୧୦ଲକ୍ଷ ଟଙ୍କା ଜୋରିମାନା। ଏହି ମାମଲାର ଅନ୍ୟଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ୨ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲା ଦୌରା ଜଜ୍। ୨୦୧୮  ଅକ୍ଟୋବର ୧୮ ତାରିଖରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବିଷ୍ଣୁ ଗୌଡ଼ଙ୍କୁ ଡାକ୍ତରଙ୍କ କ୍ଲିନିକରେ ହତ୍ୟା କରାଯାଇଥିଲା।

ପ୍ରେମ ଫାଶରେ ପଡି ଡାକ୍ତର ପାଲଟି ଯାଇଥିଲେ ସଇତାନ। ଡାକ୍ତରୀ ସେବାରୁ ବନିଥିଲା ଅପରାଧୀ। ମୃତଦେହ ଉଦ୍ଧାର ପରେ ପଦାକୁ ଆସିଥିଲା ଭଦ୍ର ଚେହେରା । ନିଜ କ୍ଲିନିକ୍ ର  ନର୍ସଙ୍କୁ ପ୍ରେମ କରିବା ପରେ, କଣ୍ଟା ସାଜିଥିବା ନର୍ସଙ୍କ ପ୍ରେମିକକୁ ଡାକ୍ତର ନିଜେ କରିଥିଲେ ବିଭତ୍ସ ହତ୍ୟା। ଡାକ୍ତର, ବିଷ୍ଣୁଙ୍କୁ ନିଜ କ୍ଲିନିକକୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ପରେ ଡାକ୍ତର ତ୍ରିପାଠୀ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ସହର ଉପକଣ୍ଠ ବଡଡିମୁଳା ନେଇଯାଇଥିଲେ।

ପରବର୍ତ୍ତୀ ସମୟରେ ବୈଦ୍ୟନାଥପୁର ପୋଲିସ, କ୍ଲିନିକର ଆବର୍ଜନା ପକାଯାଉଥିବା ସ୍ଥାନରୁ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ଉଦ୍ଧାର କରାଯାଇଥିଲା।  ମୃତ ଯୁବକ ଜଣକ ଖଲ୍ଲିକୋଟ ଥାନା ବାଣିଆ ଗ୍ରାମର ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ । ହତ୍ୟାକାଣ୍ଡ ଏତେ ବିଭତ୍ସ ଥିଲା ଯେ, ଗୋଟିଏ କୂଅରୁ ବିଷ୍ଣୁଙ୍କ ମୁଣ୍ଡ ଓ ଗୋଡ଼ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଏକ କୂଅରୁ ଶରୀରର ବାକି ଅଂଶ ମିଳିଥିଲା।