ସିଙ୍ଗଡା ବିକି ଦମ୍ପତି ଲକ୍ଷପତି, ଦିନକୁ ବ୍ୟବସାୟ ୧୨ ଲକ୍ଷ

ବେଙ୍ଗାଲୁରୁ: ସିଙ୍ଗଡା..ଏମିତି ଏକ ଭାରତୀୟ ଜଳଖିଆ ଯେ କେହିବି ଖାଇବାକୁ ପସନ୍ଦ କରିଥାନ୍ତି  । ମାତ୍ର ୫ ଟଙ୍କାରେ ମିଳୁଥିବା ଏହି ଜଳଖିଆ ଦମ୍ପତିଙ୍କ ଭାଗ୍ୟ ବଦଳାଇ ଦେଇଛି । ମୋଟା ଦରମା ଚାକିରି ଛାଡି ଦିନେ ବେଙ୍ଗାଲୁରୁରେ ସିଙ୍ଗଡା ବ୍ୟବସାୟର ନିଷ୍ପତ୍ତି ନେଇଥିଲେ ନିଧି ସିଂ ଓ ପତି ଶିଖର ବୀର ସିଂ । ଆଉ ଚ୍ୟାଲେଞ୍ଜପୂର୍ଣ୍ଣ ନିଷ୍ପତ୍ତି ନେଇ ଆଜି ସଫଳତାର ଶିଖର ଛୁଇଁଛନ୍ତି ନିଧି ଓ ଶିଖର  ।

ଦମ୍ପତିଙ୍କ ସମୋସା ସିଂ ଏବେ ଏକ ଲୋକପ୍ରିୟ ସମୋସା ବ୍ରାଣ୍ଡରେ ପରିଣତ ହୋଇଛି  । ସମଗ୍ର ଦେଶରେ ୪୦ରୁ ଅଧିକ ସମୋସା ସିଂ ଷ୍ଟୋର ରହିଛି  । ପ୍ରତିଦିନ ସିଙ୍ଗଡାରୁ ୧୨ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ଦମ୍ପତି   । ପ୍ରତିମାସ ୩୦ ହଜାରରୁ ଅଧିକ ସିଙ୍ଗଡା ବିକୁଛି ସମୋଶା ସିଂ  । ଯାହାର ବାର୍ଷିକ ଆୟ ରହିଛି ୪୫ କୋଟି ଟଙ୍କା  । ନିଧି ଶିଖରଙ୍କ ବଟର ଚିକେନ ସମୋସା ଓ କଢାଇ ପନିର ସମୋସା ସର୍ବାଧିକ ବିକ୍ରି ହେଉଥିବା ବେଳେ ଲୋକପ୍ରିୟ ଅଟେ  ।

ହରିୟାଣାରେ ବାୟୋଟେକ୍ନୋଲୋଜିରେ ବିଟେକ କରୁଥିବା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା  । ଏହାପରେ ହାଇଦ୍ରାବାଦରେ ଜୀବ ବିଜ୍ଞାନରେ ପାଠ ପଢିଥିଲେ ଶିଖର  । ପାଠପଢା ପରେ ଅନେକ ଜାଗାରେ ଚାକିରି କରିଥିଲେ ଶିଖର  । ୨୦୧୫ରେ ବାୟୋକନ କମ୍ପାନୀରେ ଶିଖରଙ୍କୁ ମୁଖ୍ୟ ବୈଜ୍ଞାନିକ ଭାବେ ପୋଷ୍ଟିଂ ମିଳିଥିଲା  । ଠିକ ସେତିକିବେଳେ ନିଧି ମଧ୍ୟ ଏକ କମ୍ପାନୀରେ ବାର୍ଷିକ ୩୦ ଲକ୍ଷ ପ୍ୟାକେଜରେ ଚାକିରି କରୁଥିଲେ  । ହେଲେ ଜବ୍‌ ଲାଇଫରେ ସନ୍ତୁଷ୍ଟ ନଥିଲେ ଦମ୍ପତି  । ୨୦୧୬ରେ ଚାକିରି ଛାଡି ସମୋସା ସିଂ ନାମକ ନିଜର ପ୍ରଥମ ସମୋସା ଆଉଟଲେଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ  ।

 

ଉଭୟ ନିଧି ଓ ଶିଖର ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି  । ନିଧିଙ୍କ ବାପା ଜଣେ ସୁନାମଧନ୍ୟ ଓକିଲ ଥିବାବେଳେ ଶିଖରଙ୍କ ବାପାଙ୍କର ଚଣ୍ଡିଗଡରେ ଗହଣା ଦୋକାନ ରହିଛି  । କିନ୍ତୁ ଦୁହେଁ ପରିବାରର ବ୍ୟବସାୟକୁ ଆଗକୁ ନ ବଢାଇ ନିଜ ପଇସାରେ କିଛି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ  । ଦମ୍ପତି ନିଜ ସଞ୍ଚୟ ଟଙ୍କାରେ କିଣିଥିବା ଘରକୁ ୮୦ ଲକ୍ଷ ଟଙ୍କାରେ ବିକି ବ୍ୟବସାୟରେ ଲଗାଇଥିଲେ  ।

 

ସମୋସା ସିଂ ଆରମ୍ଭ କରିବା ପାଇଁ ଦମ୍ପତି ପ୍ରଥମେ ନିଜ ସଞ୍ଚୟ ରାଶି ଏଥିରେ ଲଗାଇ ଥିଲେ  । କିନ୍ତୁ ବ୍ୟବସାୟ ବଢାଇବା ପାଇଁ ଯେତେବେଳେ ତାଙ୍କୁ ଫ୍ୟାକ୍ଟ୍ରିର ଆବଶ୍ୟକ ହେଲା ସେତେବେଳେ ନିଜ ନୂଆ ଘର ବି ବିକି ଦେଇଥିଲେ ଦମ୍ପତି  । ଦୁହେଁ ସେହି ନୂଆ ଘରେ କେବଳ ଗୋଟିଏ ଦିନ ରହି ପାରିଥିଲେ  । ବ୍ୟବସାୟ ଆରମ୍ଭରୁ  ଏତେ କଷ୍ଟ ସହିଥିବା ଦମ୍ପତି ଏବେ କିନ୍ତୁ ସମୋସା ବିକି ମାଲାମାଲ୍‌ । ପ୍ରତିଦିନ ସିଙ୍ଗଡାରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଏହି ଦମ୍ପତି ଆଗାମୀ ପିଢି ପାଇଁ ପ୍ରେରଣା ନିଶ୍ଚୟ  ।