ଗାଁ ସ୍କୁଲ କ୍ୱାରେଣ୍ଟାଇନ ମନା,ସେଥିପାଇଁ ଜଙ୍ଗଲ ଭିତରେ ଭଙ୍ଗା ଘରେ ପଡିଛନ୍ତି ଦମ୍ପତି !
1 min read![](https://nandighoshatv.com/wp-content/uploads/2020/04/corona-couple-1024x576.jpg)
ଝାରସୁଗୁଡା: କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକଡାଉନ୍ ଅବଧିକୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ତେବେ ଏଭଳି ସମସ୍ୟାରେ କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହି ପରିସ୍ଥିତିରେ ଏକ ଅଭାବନୀୟ ସ୍ଥିତି ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ଅତାବିରା ପଞ୍ଚାୟତରେ ଏକ ଦମ୍ପତି ଜଙ୍ଗଲରେ ଦିନ କାଟୁଛନ୍ତି।
ରାଜ୍ୟ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକ ଏମ, କଟାପାଲି ଗାଁର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା କରି ଘର ଛାଡ଼ି ସୁନ୍ଦରଗଡ ଜିଲ୍ଲାର କାଉଦରହ ପଳାଇଥିଲେ । ପରେ ସେହି ମହିଳାଙ୍କୁ ତାଙ୍କ ସ୍ୱାମୀ ଘରକୁ ନେବା ପାଇଁ ଇଚ୍ଛା କରିଥିଲେ । ଏହାପରେ ଗାଁ ଲୋକେ ଉକ୍ତ ମହିଳାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କରିଥିଲେ । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିଲା । ଫଳରେ ସେମାନେ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍ ଗୃହରେ ରହି ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ । କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ୱାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା । ଏହସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦେଇ ନଥିଲେ ଗାଁ ଲୋକେ । ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି । ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲାପ୍ରଶାସନ ଖବର ପାଇ ବିଡ଼ିଓଙ୍କୁ ତଦନ୍ତ ପାଇଁ ପଠାଯାଇଥିବା କହିବା ସହ ପଦକ୍ଷପ ନିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l