ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ପଥର ଫିଙ୍ଗିଲେ, ଉଲଗ୍ନ କରି ଗାଁ ଦାଣ୍ଡରେ ଘୋଷାଡ଼ିଲେ

1 min read

ଦେବଗଡ଼: ଅନ୍ଧ ବିଶ୍ବାସର ଅନ୍ଧାରୀ ମୂଲକ । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ଆଧୁନିକ ଯୁବରେ ବି ଗୁଣିଗାରେଡି କଳାଯାଦୁ ଉପରେ ବିଶ୍ବାସ । ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୁରୁସଙ୍ଗ ପଞ୍ଚାୟତ ଦେପତଳା ଗାଁର । ଗୁରୁତର ଦମ୍ପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛନ୍ତି ଭର୍ତ୍ତି ।

ଅଭିଯୋଗ ଅନୁସାରେ, ଗାଁର ଗଣ୍ଡ ପ୍ରଧାନଙ୍କ ସ୍ତ୍ରୀ ତୁଳସୀ କିଛିଦିନ ହେବ ସ୍ବାସ୍ଥ୍ୟଗତ ସମସ୍ୟାରେ ଥିଲେ । ଭୂୟାଁଣୀ ମହାକୁଳ ତାଙ୍କୁ ଗୁଣି କରୁଥିବା ସନ୍ଦେହ କରି ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗତକାଲି ବୈଠକ ପାଇଁ ଗ୍ରାମବାସୀ ତାଙ୍କୁ ଡାକିବାକୁ ଆସିଥିଲେ । ହେଲେ ଭୂୟାଁଣୀ ଯିବାକୁ ମନା କରିବାରୁ ଗାଁର କିଛି ମହିଳା ତାଙ୍କୁ ଜୋରଜବରଦସ୍ତ ବୈଠକ ସ୍ଥଳକୁ ନେଇଯାଇଥିଲେ । ପରେ ସ୍ବାମୀ ଦେବାନନ୍ଦ ମହାକୁଳ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବାକୁ ଉଦ୍ୟମ କରିଥିଲେ । ହେଲେ ଗାଁ ଲୋକ ଭୂୟାଁଣୀଙ୍କୁ ଡାହାଣୀ କହି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଇଟା, ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କୁ ଉଲଗ୍ନ କରିଦେଇଥିଲେ ଗାଁ ଲୋକେ । ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l