ଟ୍ରମ୍ପଙ୍କୁ ଭାରତର ଉତ୍ତର: ଆମ ପାଇଁ ଦେଶ ପ୍ରଥମ,ଯେଉଁଠି ଆବଶ୍ୟକ ସେଠି ସାହାଯ୍ୟ କରିବୁ

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଦୁନିଆ ଯୁଦ୍ଧ ଲଢୁଛି । ଏହି ଭାଇରସର ଟୀକା ଏପର୍ଯ୍ୟନ୍ତ ବାହାରି ନାହିଁ । ଏମିତିରେ ପୁରୁଣା ଔଷଧକୁ ନେଇ ପରୀକ୍ଷା ନିରିକ୍ଷା ଚାଲିଛି । ସେହି ପରୀକ୍ଷା ନିରିକ୍ଷା ଭିତରେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରକ୍ୱିନର ନାଁ ଉଠୁଛି । ଏହି ଔଷଧ କରୋନା ଚିକିତ୍ସାରେ କିଛି ସକରାତ୍ମକ ଫଳ ଦେଉଛି । ତେଣୁ ଆମେରିକା ଏହାକୁ ଅଧିକ ପରିମାଣରେ ଚାହୁଁଛି । ଏଥିପାଇଁ ଆମେରିକା ଭାରତକୁ ସାହାଯ୍ୟ ମାଗିଥିଲା । ରବିବାର ଦିନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କଥା ହୋଇଥିଲେ । ଔଷଧ ଯୋଗାଇବା ପାଇଁ ଭାରତକୁ ଅନୁରୋଧ କରିଥିଲେ । କିନ୍ତୁ ଏହାର ମାତ୍ର ଦୁଇ ଦିନ ପରେ ମଙ୍ଗଳବାର ସକାଳୁ ସକାଳୁ ଟ୍ରମ୍ପ ଭାରତକୁ ପରୋକ୍ଷ ଧମକ ଦେଇଛନ୍ତି । ଔଷଧ ନଦେଲେ ଭାରତ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଟ୍ରମ୍ପ ମହାଶୟ ପ୍ରଶ୍ନ କରିଛନ୍ତି ।

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ଏବେ ଭାରତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ତର ଦେଇଛି । ଭାରତ କହିଛି ଯେ, ଆମ ପାଇଁ ଦେଶ ଆଗ । ଯେଉଁଠି ଆବଶ୍ୟକ ସେଠି ସାହାଯ୍ୟ କରିବୁ । ବୈଦେଶିକ ମନ୍ତ୍ରଣାଳୟ କହିଛିଯେ, ପ୍ରଥମେ ଭାରତ ନିଜ ଆବଶ୍ୟକତା କଥା ଭାବିବ । ତା’ପରେ ଯେଉଁ ଦେଶ ଏହାକୁ ସର୍ବାଧିକ ଆବଶ୍ୟକ କରନ୍ତି,ସେମାନଙ୍କୁ ସାହାଯ୍ୟ କରାଯିବ ।
ଘରେ ଅଧିକ ଷ୍ଟକ ପ୍ରଥମ ପ୍ରାଥମିକତା
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ପରେ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ‘‘ ଆମ ପ୍ରଥମ ପ୍ରାଥମିକତା ହେଉଛି ଦେଶରେ ଅତ୍ୟାବଶ୍ୟକ ଔଷଧର ଷ୍ଟକ୍ ମହଜୁଦ ରଖିବା । ଯେମିତିକି ଆମ ଲୋକଙ୍କ ଆବଶ୍ୟକତା ପୁରଣ କରାଯାଇ ପାରିବ । ସେଇଥିପାଇଁ କିଛି ଔଷଧର ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । କିନ୍ତୁ ବଦଳୁଥିବା ପରିସ୍ଥିତିରେ ସରକାର କିଛି ଔଷଧ ଉପରୁ ପ୍ରତିବନ୍ଧକ ହଟାଇ ଦେଇଛନ୍ତି ।’’
ପ୍ରଭାବିତ ଦେଶକୁ ଦେବୁ

ଭାରତ କହିଛି ଯେ, ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆମର କିଛି ପଡୋଷୀ ଦେଶ ଏହି ଔଷଧ ପାଇଁ ଆମ ଉପରେ ନିର୍ଭରଶୀଳ । ଏହାସହ ସେହି ଦେଶଗୁଡିକୁ ମଧ୍ୟ ଏହି ଔଷଧ ରପ୍ତାନୀ କରାଯାଉଛି ଯେଉଁଠାରେ କରୋନା ଅଧିକ ବ୍ୟାପିଛି । ତେଣୁ ଏହି ମାମଲାକୁ ଅଯଥାରେ ରାଜନୈତିକ ରଙ୍ଗ ନଦିଆଯାଉ ।

Leave a Reply