ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ଗଣତି: ବିଜେପିକୁ ଲାଗିପାରେ ବଡ଼ ଝଟ୍‌କା

1 min read

ଝାଡ଼ଖଣ୍ଡ: ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ଗଣତି । ସିଲ୍‌ ଇଭିଏମ୍‌ରୁ ଖୋଲିବ ନେତାଙ୍କ ଭାଗ୍ୟ । ପୂର୍ବ ସିଂହଭୂମ ଜିଲ୍ଲାରେ ସକାଳ ୮ରୁ ପୋଷ୍ଟାଲ ବାଲଟ ପେପରର ଭୋଟ୍‌ ଗଣତି ଆରମ୍ଭ ହେବ ।  ଏହାପରେ କରାଯିବ ଇଭିଏମ୍‌ ଭୋଟ୍‌ଗଣତି । ପୋଷ୍ଟଲ ବାଲାଟ ପେପରର ଫଳାଫଳ ସକାଳ ୯ଟା ଭିତରେ ସରିଯିବ ।  ଗଣନାକୁ ସମ୍ପୂର୍ଣ୍ଣ ଭାବରେ ଭିଡିଓଗ୍ରାଫି କରାଯିବ ।

ଏଥିସହ ସିସିଟିଭି କ୍ୟାମେରାରେ ନଜର ରଖାଯିବ ବୋଲି ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି । ମତଗଣନା କକ୍ଷ ଭିତରକୁ ସକାଳ ୭ରୁ କାଉଣ୍ଟିଂ ଏଜେଣ୍ଟ ପ୍ରବେଶ କରିବେ । ମୋବାଇଲ ଫୋନ୍‌, ପାଣି ବୋତଲ ଏବଂ କୈାଣସି ପ୍ରକାର ଖାଦ୍ୟ ସାମଗ୍ରୀ ବାରଣ କରାଯାଇଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା । ଭୋଟଗ୍ରହଣ ପରେ ଆସିଛି ବୁଥବାହୁଡା ମତ । ବିଭିନ୍ନ ଗଣମାଧ୍ୟମର ସର୍ଭେ ଅନୁସାରେ ବିଜେପିକୁ ଲାଗିପାରେ ବଡ଼ ଝଟକା । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସଖ୍ୟା ଗରିଷ୍ଠତା ପାଇଁ ୪୧ଟି ଆସନ ଆବଶ୍ୟକ । ଆଉ ଆକଳନ କହୁଛି, ଜେଏମଏମ-କଂଗ୍ରେସ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିପାରେ ।  ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା ।

Leave a Reply