କେମିତି ହେବ ଲୋକସଭା ଓ ବିଧାନସଭା ଭୋଟ ଗଣତି; କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ?

ଭୁବନେଶ୍ବର:  ନିର୍ବାଚନର ମହାପର୍ବ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଷ୍ଟ୍ରଙ୍ଗରୁମରେ ଇଭିଏମ ଥିବା ବେଳେ ଏବେ ଅପେକ୍ଷା ଜୁନ୍ ୪କୁ । ଆଉ ଦିନକ ପରେ ହେବ ଗଣତି । କେମିତି ହେବ ଗଣତି ? କାହା ଇଭିଏମ୍ ଆଗେ ଖୋଲିବ ? କାହାର ରେଜଲ୍ଟ ପ୍ରଥମେ ଆସିବ ? କେତେ ସମୟ ଚାଲିବ ଗଣତି ? ବିଧାୟକଙ୍କ ଆଗେ ସରିବ ନା ସାଂସଦଙ୍କ ? ଏସବୁକୁ ନେଇ ଦଳୀୟ ସମର୍ଥକ ଆଶା ଆଶଙ୍କାରେ ଥିବା ବେଳେ ଭୋଟର ବି ନଜର ରଖିଛନ୍ତି ।

ଜୁନ ୪କୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ରାଜ୍ୟବାସୀଙ୍କ ନଜର ବି ବିଧାନସଭା ଉପରେ । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ? କାହା ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା ? କାହାର ପଲ୍ଲା କେତେ ଭାରି ? ଏସବୁ ସ୍ପଷ୍ଟ ହେବ ଜୁନ୍ ୪ ତାରିଖରେ । ପ୍ରତ୍ୟେକ ଲୋକସଭା ଅଧୀନରେ ରହିଛି ୭ଟି ଲେଖାଏଁ ବିଧାନସଭା ନିର୍ବାଚନମଣ୍ଡଳୀ । କେବଳ ଯାଜପୁର ଜିଲ୍ଲା ଏପରି ଏକ ଜିଲ୍ଲା, ଯେଉଁ ଜିଲ୍ଲାରେ ୭ଟି ଯାକ ବିଧାନସଭା ଗୋଟିଏ ଲୋକସଭା ଅଧୀନରେ ରହିଛି । ତେଣୁ ୭ଟି ଆସନର ଗଣତି ଗୋଟିଏ ଜାଗାରେ ହେଉଛି । ବାକି ସବୁ ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ଏକାଧିକ ଜିଲ୍ଲାରେ ଥିବାରୁ ଏହାର ଗଣତି ଭିନ୍ନ ଭିନ୍ନ ଜାଗାରେ ହେବ ।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ ୭ଟି ଲେଖାଏଁ ଟେବୁଲରେ ଗଣତି କରାଯିବ । ୭ଟି ଟେବୁଲରେ ବିଧାନସଭାର ପ୍ରଥମ ୭ଟି ବୁଥର ଇଭିଏମ୍ ଖୋଲାଯିବ । ଏକା ବେଳେ ଅନ୍ୟ ୭ଟି ଟେବୁଲରେ ସେହି ବିଧାନସଭାର ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଥମ ୭ଟି ଇଭିଏମ୍ ଖୋଲାଯିବ । ପ୍ରତି ରାଉଣ୍ଡର ଫଳାଫଳ ସେଣ୍ଟ୍ରାଲ ଟେବୁଲକୁ ଯିବ ଏବଂ ସେହିଠାରୁ ସଂପୃକ୍ତ ନିର୍ବାଚନ ଅଧିକାରୀ ଫଳାଫଳ ସର୍ବସାଧାରଣଙ୍କ ପାଇଁ ଘୋଷଣା କରିବେ । ଏଥିପାଇଁ ରାଜ୍ୟରେ ଥିବା ୭୦ଟି ଭୋଟ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପୂର୍ବରୁ ଇଭିଏମ ସବୁ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ଘେରରେ ରଖାଯାଇଛି । ପ୍ରତି ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ, ରାଜ୍ୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସକୁ ନେଇ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ବିଭିନ୍ନ ଦଳର ପ୍ରତିନିଧିମାନେ ମଧ୍ୟ ଷ୍ଟ୍ରଙ୍ଗରୁମ ପାଖରେ ଡେରା ପକାଇଛନ୍ତି ।

ଇଭିଏମ୍ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ । ପ୍ରଥମ ରାଉଣ୍ଡର ଇଭିଏମ୍ ଫଳାଫଳ ସହ ପୋଷ୍ଟାଲ ବାଲଟ ଫଳାଫଳ ମିଶାଇ ଘୋଷଣା କରାଯିବ । ଜୁନ୍ ୪ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପ୍ରଶାସନ, ପୋଲିସ ବିଭାଗ ଓ ସୁରକ୍ଷା ବଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।