ଆଜି ପୌର ଭୋଟ ଗଣତି, ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର: କିଏ ଜିତିଛି ସହରର ଦିଲ୍ । କିଏ ପିନ୍ଧିବ ମହାନଗର ମୁକୁଟ । ୱାର୍ଡ ୱାର୍ଡରେ କିଏ ହେବ ବିଜୟୀ । କେଉଁ କର୍ପୋରେଟର ପ୍ରାର୍ଥୀଙ୍କ ଯାଦୁ କାମ କରିଛି ସାହି ସାହିରେ । ଆଉ ମାତ୍ର କିଛି ମୁହୁର୍ତ୍ତର ଅପେକ୍ଷା । କାଉଣ୍ଟିଂ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଷ୍ଟ୍ରଙ୍ଗରୁମ୍‌ରେ ଗଣତି ଅପେକ୍ଷାରେ ଇଭିଏମ୍ । ଆଉ ଘଣ୍ଟାଏ ପରେ ଖୋଲିବ ଇଭିଏମ୍ । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ହେବ ନାହିଁ ଭୋଟ ଗଣତି । ୬ଟି ଓ୍ବାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେବ ।

ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ହେବ ପୋଷ୍ଟଲ ଗଣତି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିବେ ।