ଜନ ଔଷଧି କେନ୍ଦ୍ରରେ ବି ନକଲି ଔଷଧ

ଭୁବନେଶ୍ବର: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ । ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜନ ଔଷଧି କେନ୍ଦ୍ରରେ ମିଳୁଥିବା ବିପି ବା ରକ୍ତ ଚାପ ଔଷଧ ଟେଲମିସର୍ଟନ 40 ଔଷଧ ନକଲି ଥିବା ଅଭିଯୋଗ ହୋଇଛି ।

ଔଷଧର ଖୋଳରେ ଥିବା ବାର କୋଡକୁ ସ୍କାନ କଲେ ତାହା ଔଷଧ କମ୍ପାନୀ ବଦଳରେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି । ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର୍ କୋଡ୍ ଆଦୌ ସ୍କାନ ହେଉନାହିଁ ।

ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂ ଲ୍ୟାବକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ, ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି ।

ହେଲେ ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି । ତୁରନ୍ତ ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସେସିଏସନର ସଭାପତି ଦାବି କରିଛନ୍ତି । ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ।