ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

1 min read

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ ସଫଳତା । ଆସନ୍ତା କାଲିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ତୁଲାଇବ ଭାରତ । ସାମୁଦ୍ରିକ ନିରାପତ୍ତା, ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେପଟେ ଚୀନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗିଛି ବଡ ଝଟକା । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି- ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା । ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ନିରାପତ୍ତା ପରିଷଦରେ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ।

ଶକ୍ତିଶାଳୀ ୧୫ଟି ରାଷ୍ଟ୍ରକୁ ନେଇ ଗଠିତ ଜାତିସଂଘର ଅଧ୍ୟକ୍ଷ ଦାୟିତ୍ବ ନେବା ପ୍ରଥମ । ଆସନ୍ତା ୨ ତାରିଖରେ ତିରୁମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ ଦୁଇ ବର୍ଷ ଲାଗି ମନୋନୀତ ହୋଇଛି । ଗତ ଜାନୁଆରୀ ୧ରୁ ଭାରତ ଏହି ସଦସ୍ୟତା ଲାଭ କରିଛି । ଏକ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛି । ଆସନ୍ତାବର୍ଷ ଡିସେମ୍ବରରେ ଭାରତ ପୁଣି ନିରାପତ୍ତା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବ ।

ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆଫଗାନିସ୍ତାନରେ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତର ଅଧ୍ୟକ୍ଷତା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଉଛି । ଜାତିସଂଘ ନିରାପତ୍ତା ପରିଷଦରେ ଚୀନ, ଫ୍ରାନସ, ରୁଷ, ବ୍ରିଟେନ ଓ ଆମେରିକା ଅଛନ୍ତି ସ୍ଥାୟୀ ସଦସ୍ୟ । ସେପଟେ ଭାରତ, ଏସ୍ତୋନିଆ, ଆୟାରଲ୍ୟାଣ୍ଡ, କେନିଆ, ମେକ୍ସିକୋ, ନାଇଜର, ନରଓ୍ବେ, ସେଣ୍ଟ ଭିନସେଣ୍ଟ, ଟ୍ୟୁନିସିଆ, ଭିଏତନାମ ଆଦି ରାଷ୍ଟ୍ର ସମେତ ୧୫ ରାଷ୍ଟ୍ର ଅଛନ୍ତି ଅସ୍ଥାୟୀ ସଦସ୍ୟ ।

Leave a Reply