ରାତି ପାହିଲେ ବଡ଼ଦିନ: ଚଳଚଞ୍ଚଳ ଚର୍ଚ୍ଚ, ରାଜଧାନୀରେ ଜମିବାରେ ଲାଗିଛି ଖ୍ରୀଷ୍ଟମାସ ବଜାର

1 min read

ଭୁବନେଶ୍ୱର: ଖ୍ରୀଷ୍ଟମାସ୍ ବା ବଡ଼ଦିନ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍‌ । ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଏହା ଏକ ବଡ଼ ପର୍ବ ହୋଇଥିଲେ ବି ସବୁ ଧର୍ମର ଲୋକେ ଏହାକୁ ଖୁବ ଧୁମ୍‌ଧାମରେ ମନାଇଥାନ୍ତି । ଯୁଗ ବଦଳିବା ସାଙ୍ଗକୁ ଲୋକଙ୍କ ରୁଚିରେ ବି ପରିବର୍ତ୍ତନ ଆସିଛି । ଏବେ ବଡ଼ଦିନରେ ସମସ୍ତେ ଘରକୁ ସଜାଇବା ସହ ଖ୍ରୀଷ୍ଟମାସ୍ ଟ୍ରୀ ଟିଏ ରଖିବାକୁ ପସନ୍ଦ କରୁଛନ୍ତି । ଆଉ ଗ୍ରାହକଙ୍କ ଚାହିଦା ଅନୁସାରେ ରାଜଧାନୀରେ ଜମିବାରେ ଲାଗିଛି ଖ୍ରୀଷ୍ଟମାସ ବଜାର ।

ରାସ୍ତାକଡ଼ରେ ଖ୍ରୀଷ୍ଟମାସ୍‌ ପସରା । ଭଳିକି ଭଳି କ୍ରୀସମାସ୍‌ ଟ୍ରୀ । ଜିଙ୍ଗଲ୍‌ ବେଲ୍‌, ଲାଇଟ୍‌ ଷ୍ଟାର, ଡୋର ଷ୍ଟିକର, ସାଣ୍ଟା ଟୟ, ସାଣ୍ଟା ଟୋପି, ହ୍ୟ।ଙ୍ଗିଙ୍ଗ୍ ଡେକୋରେସନ୍‌ ଆଇଟମ୍‌, ଏକ୍ସ-ମାସ୍‌ କାର୍ଡ, କ୍ୟାଣ୍ଡେଲ୍‌, ପୋଷ୍ଟର ଏମିତି କେତେ କଣ । ଏସବୁର ସମ୍ଭାର କେବଳ ଏକ୍ସ ମାସ୍‌ ସେଲିବ୍ରେସନ୍‌ ପାଇଁ । ବଡ଼ ଦିନକୁ ଆଖି ଆଗରେ ରଖି ରାଜଧାନୀର ରାସ୍ତା କଡ଼ରେ ମେଲିଛି ସିଜନ୍‌ ସେଣ୍ଟରର ପସରା ।

ଆଉ ସେଠାରେ ରହିଛି ପିଲାଙ୍କ ପାଇଁ କଣ୍ଢେଇ, ସାଣ୍ଟା ଡ୍ରେସ୍‌, ଟକୋଲେଟ୍‌, ଗିଫ୍ଟ ସହ ବଡ଼ଙ୍କ ପାଇଁ ବି ନାନା ରକମର ଫ୍ୟାନ୍ସି ଆଇଟମ୍‌ । ଖ୍ରୀଷ୍ଟମାସ ଟ୍ରୀ ସହ ଘରକୁ ସଜାଇବା ପାଇଁ ଅନେକ ପ୍ରକାରର ରଙ୍ଗୀନ୍‌ ବଲ୍‌, ଘଣ୍ଟି, ଜରିଲଗା ମାଳା, ଝୁମର୍‌ ବି ରହିଛି । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଚିଛି ସ୍ନୋ ଫଲିଂ ଟ୍ରି ସାଙ୍ଗକୁ ପାରାଚ୍ୟୁଟ୍‌ ସାନ୍ତା ।

ଅନ୍ୟପଟେ ସବୁ ବର୍ଷ ଭଳି ଏଥର ବଡଦିନ ପାଇଁ ୟୁନିଟ୍‌-୪ରେ ଥିବା ୟୁନିୟନ ଚର୍ଚ୍ଚ ମଧ୍ୟ ବେଶ୍‌ ସଜେଇ ହୋଇଛି । ଏଠାରେ ପ୍ରଭୁଙ୍କ ଜନ୍ମ ଦିନକୁ ଭିନ୍ନ ଧରଣର ପାଳନ କରାଯାଏ । ପ୍ରଭୁଙ୍କ ବାକ୍ୟ ମୁଁ ପଥ, ସତ୍ୟ ଓ ଜୀବନ ରାସ୍ତାରେ ଚାଲୁଥିବା ଏହି ଚର୍ଚ୍ଚରେ ଯୀଶୁଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେନି । କେବଳ ସମୂହ ପ୍ରାର୍ଥନା ଦ୍ଵାରା ଯୀଶୁଙ୍କ ଗାଥା ପ୍ରଚାର କରାଯାଏ ବୋଲି କହିଛନ୍ତି ଫାଦର । ସତ୍ୟନଗର କ୍ୟାଥୋଲିକ ଚର୍ଚ୍ଚ ମଧ୍ୟ ବଡ଼ଦିନ ପାଇଁ ସଜେଇ ହୋଇଛି । ଯୀଶୁଙ୍କୁ ଦର୍ଶନ କରିବା ପାଇଁ ଚର୍ଚ୍ଚ ସମ୍ମୁଖରେ ସ୍ୱତନ୍ତ୍ର କୁଡ଼ିଆର ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ରାତି ୧୨ଟାରୁ ଏଠାରେ ଆରମ୍ଭ ହେବ ପ୍ରଭୁଙ୍କୁ ଆରାଧନା ।

ବଡ଼ଦିନର ଆଗମନରେ ବେଶ ଉତ୍ସାହିତ ରାଜଧାନୀବାସୀ । ଚଳିତ ବର୍ଷ କିଛି ଭଲ ବ୍ୟବସାୟ କରିବା ଲକ୍ଷ୍ୟରେ ବ୍ୟବସାୟୀ ଥିବା ବେଳେ ବଡ଼ଦିନକୁ ସ୍ମରଣୀୟ କରିବାକୁ ଲାଗିପଡିଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ।

 

Leave a Reply