ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ । ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪୦ ପ୍ରତିଶତ କମ ହୋଇଛି ଚାରା ରୋପଣ । ସାଧାରଣତଃ କପା ଅର୍ଥକାରୀ ଫସଲ ହୋଇଥିବାରୁ ଆଦିବାସୀ ମାନେ ଧାନ ପରେ କପା ଚାଷ କରିଥାନ୍ତି । ହେଲେ ଏବେ ରାୟଗଡା ସଦର ବ୍ଲକ ବୀରନାରାୟଣପୁର ଗାଁରେ ପଡିଆ ପଡିଛି ଶହ ଶହ ହେକ୍ଟର ଚାଷ ଜମି । ଆଉ କେଉଁଠି କୀଟନାଶକ ଅଭାବ ଯୋଗୁଁ ଭୂଇଁରୁ ମୁଣ୍ଡ ଟେକିପାରୁନି କପା ଗଛ । ଚାଷୀଙ୍କୁ ସରକାରୀ ଦରରେ ଔଷଧ ମିଳୁନଥିବା ବେଳେ ଚଢା ଦରରେ ବଜାରରୁ ଆବଶ୍ୟକୀୟ କୀଟନାଶକ କିଣିପାରୁନାହାନ୍ତି ଚାଷୀ । ଅନ୍ୟପଟେ ସରକାରୀ କଟକଣା ପରେ କ୍ଷେତରେ ମେସିନ ବ୍ୟବହାର ପାଇଁ ଚାଷୀଙ୍କୁ ଖୁଚୁରାରେ ପେଟ୍ରୋଲ ମିଳୁନାହିଁ । ଫଳରେ ଅନେକ ଚାଷୀ କପା ଚାଷ କରିପାରୁନାହାନ୍ତି ।
ଚଳିତ ବର୍ଷ ୫୦ ହଜାର ହେକ୍ଟର ଜମିରେ କପା ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏଯାଏଁ ୩୦ ହଜାର ୫୨୯ ହେକ୍ଟର ଜମିରେ କପା ଚାଷ ହୋଇଛି । ବଳକା ୨୦ ହଜାର ହେକ୍ଟର ଜମିରେ ଆଦୌ କପା ଚାଷ ଆରମ୍ଭ ହୋଇନି । କାଶୀପୁର, ମୁନିଗୁଡା, ଚନ୍ଦ୍ରପୁର, କୋଲନରା ଓ ବିଷମକଟକ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି । ଅନ୍ୟପଟେ କୃଷି ବିଭାଗ ଚାଷ ହ୍ରାସକୁ ସ୍ବୀକାର କରିବା ସହ ଚାରା ରୋପଣ ପାଇଁ ଆହୁରି ସମୟ ଅଛି ବୋଲି କହିଛନ୍ତି । ବର୍ଷାର ଅଭାବ ଓ ଆବଶ୍ୟକୀୟ ସରକାରୀ ସହାୟତା ମିଳୁନଥିବାରୁ ଉପାନ୍ତ ଅଞ୍ଚଳରେ କମିଛି କପା ଚାଷ । ଯାହା ଏବେ ଚିନ୍ତାର ବିଷୟ ବୋଲି କୃଷି ବିଜ୍ଞାନୀ ମାନେ ମତ ଦେଇଛନ୍ତି ।