ଯେତେ ପାଖଉଛି ‘ଜୱାଦ’, ସେତେ ଛେଚୁଛି ବର୍ଷା..

ନନ୍ଦିଘୋଷ ବ୍ୟୁରୋ: ସମୁଦ୍ର ଭିତରେ ଗଭୀର ଅବପାତର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ଜୱାଦ । ଯେତେ ନୀକଟବର୍ତ୍ତୀ ହେଉଛି, ସେତେ ଉପକୂଳରେ ବର୍ଷାର ପ୍ରଭାବ ବଢିବାରେ ଲାଗିଛି  । ଶଷନିବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

ସେହିପରି ନୟାଗଡ଼ରେ ୧୦୭.୫ମିମି, ଗଞ୍ଜାମ ଛତ୍ରପୁରରେ ୮୬.୬, ଖୋର୍ଦ୍ଧା ବାଣପୁରରେ ୮୧, ଗଞ୍ଜାମ ପୋଲସରାରେ ୭୧.୮, କୋଦଳାରେ ୬୮, ଏରସମାରେ ୬୮ ଓ ରାଜନଗରରେ ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏବେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଲାଗିରହିଛି। ଆସନ୍ତା ୩ଘଣ୍ଟା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିଭଳି କଟକ, ଭୁବନେଶ୍ୱରରେ ମଧ୍ୟ ବର୍ଷା ଜାରି ରହିଛି  । ଆଗକୁ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ବାତ୍ୟା ଜୱାଦ ଧୀରେ ଧୀରେ ଉତ୍ତର ଉପକୂଳ ଆଡକୁ ମୁହାଁଇଛି   ।  ଫଳରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ପାଇଁ ତଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖା ଦେଇପାରେ । ସହରାଞ୍ଚଳରେ ବର୍ଷା ଯୋଗୁଁ ଅସ୍ପଷ୍ଟ ଦେଖାଯିବ, ଫଳରେ ଟ୍ରାଫିକ୍ ଜାମ୍ ସମସ୍ୟା ହୋଇପାରେ । ପ୍ରଭାବିତ ଅଞ୍ଚଳରେ ଡ୍ରେନ୍ ପାଣି ନିଷ୍କାସନ କରିବାକୁ କୁହାଯାଇଛି ।

Leave a Reply