ଟୋକନ ଆସିନି, ଚାଷୀ ଧାନ ବିକି ନାହାନ୍ତି: ହେଲେ, ମିଲକୁ କେଉଁଠୁ ଆସିଲା କୁଇଣ୍ଟାଲ କୁଇଣ୍ଟାଲ ଧାନ ?

ବଲାଙ୍ଗୀର: ଗତ ୨ ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଟୋକନ ଆସି ନଥିବାରୁ ଚାଷୀ ମଣ୍ଡିରେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିନାହାନ୍ତି । ହେଲେ ରାଇସ୍ ମିଲଗୁଡିକରେ ମହଜୁଦ ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଯାହାର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । କିଣା ପୂର୍ବରୁ ମିଲକୁ ଏହି ଧାନ କେମିତି ପହଞ୍ଚିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଚାଷୀ ସଂଗଠନ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ସହ ଭିଡିଓ ପ୍ରଦାନ କରାଯାଇଛି ।

ରାଇସ ମିଲ ଭିତରେ କ୍ବିଣ୍ଟାଲ କ୍ବିଣ୍ଟାଲ ବେଆଇନ ଧାନ ଗଚ୍ଛିତ ହୋଇ ରହିଥିବା ଅଭିଯୋଗ କରି ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଭିଡିଓ ଜାରି କରାଯାଇଛି । ଭିଡିଓରେ ଥିବା ରାଇସ ମିଲଟି ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ମଣ୍ଡଳ ଗାଁ ରାସ୍ତା ଚାଚେରବେଙ୍ଗ ନିକଟରେ ରହିଛି । ଉକ୍ତ ରାଇସ ମିଲଟି ମିଲର୍ସ ଶଙ୍କର ଜୈନଙ୍କ ଅନନ୍ତ ପେଡ଼ି ପ୍ରୋସେସିଙ୍ଗ ନାଁରେ ରହିଛି । ବଲାଙ୍ଗୀର ଜିଲ୍ଲାରେ ଟୋକନ ନପାଇ ଚାଷୀ ଧାନ ବିକ୍ରି କରି ନଥିବା ବେଳେ କିପରି ଏହି ରାଇସ୍ ମିଲକୁ ଧାନ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଛି । ଚାଷୀଙ୍କ ପାଖକୁ ଟୋକନ ଯାଉ ନଥିବା ବେଳେ ଜାଣିଣୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ଅବ୍ୟବସ୍ଥା କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତା । ମିଲର୍ସ ଶଙ୍କର ଜୈନ ବେଆଇନ ଭାବେ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ ହୋଇଛି ।

ଗତ ଡିସେମ୍ବର ୨ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ମଣ୍ଡି ଖୋଲିଛି । ଧାନ ମିଲଠାରୁ କିଛି ଦୂରରେ ଜିଲ୍ଲାପାଳଙ୍କ ଉପସ୍ଥିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମିଲର୍ସ ଶଙ୍କର ଜୈନ ମଧ୍ଯ ଉପସ୍ଥିତ ଥିଲେ । ଧାନ ବିକ୍ରି ପାଇଁ ଜିଲ୍ଲାରେ ୯୫ ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ୧ ଲକ୍ଷରୁ ଉପରେ ଟୋକନ ଜେନେରେଟ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ପହଁଞ୍ଚିନି କି ଧାନ କିଣା ହୋଇନାହିଁ ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛି ।

ଏମିତି ସ୍ଥିତିରେ ଟୋକନ ଟେନସନର ଫାଇଦା ନେଲେଣି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ଜିଲ୍ଲାର ଗୋଟିଏ ବି ମିଲର୍ସକୁ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଇନାହିଁ । ଟାର୍ଗେଟ ପୂର୍ବରୁ କିପରି ଧାନ କିପରି ମିଲକୁ ଗଲା ବୋଲି ଚାଷୀ ସଂଗଠନ ଜିଲ୍ଲା ପ୍ରଶାସନ ନିକଟକୁ ଫେରାଦ ହୋଇଛି । ଅଭିଯୋଗକୁ ଅସ୍ଵୀକାର କରିବା ସହ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରାଯିବା ବୋଲି ଟେଲିଫୋନରେ କହିଛନ୍ତି ଅନନ୍ତ ପେଡ଼ି ପ୍ରସେସିଙ୍ଗ ମାଲିକ ମିଲର୍ସ ଶଙ୍କର ଜୈନ ।

ପୂର୍ବ ସରକାର ସମୟରେ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ନିକଟକୁ ଟୋକନ ପହଞ୍ଚି ଯାଉଥିଲା । ଫଳରେ ଚାଷୀ ଆରାମରେ ଧାନ ବିକ୍ରୀ କରୁଥିଲେ । ନୂଆ ସରକାର ଆସିବା ପରେ ମଣ୍ଡି ଖୋଲିବା ପୂର୍ବରୁ ଧାନ କିଣାରେ ଟୋକନ ଅବ୍ୟବସ୍ଥା ସହ ଧାନ କଳାବଜାରି ଦେଖାଦେଇଛି ।