ଇସ୍କନ ନାଁରେ ଚାଲିଛି ମହାଠକେଇ ! ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତେଜିଲା ବିବାଦ…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାର ଗଜରାଜପୁର ଗ୍ରାମରେ ଏକ ମନ୍ଦିରକୁ ନେଇ ବିବାଦ ଉଠିଛି । ମନ୍ଦିର ନିର୍ମାଣ ବେଳେ ଏହା ଇସ୍କନ ଅନୁମୋଦିତ ବୋଲି କୁହାଯାଇଥିଲା । ଯାହା ଫଳରେ ଆଖପାଖର ଅଧିକାଂଶ ଗ୍ରାମର ଲୋକେ ଚାନ୍ଦାଭେଦା ଦେଇ ମନ୍ଦିର ନିର୍ମାଣ କରିଥିଲେ । ତେବେ ଏବେ ଏହା ଇସ୍କନ ଅନୁମୋଦିତ ମନ୍ଦିର ନୁହେଁ ବୋଲି କଥା ଉଠୁଛି । ଇସ୍କନ ଟ୍ରଷ୍ଟ୍ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ସଂପୃକ୍ତ ମନ୍ଦିର ସହ ସଂସ୍ଥାର କୌଣସି ସମ୍ପର୍କ ନାହିଁ, ତେଣୁ ଇସ୍କନର ନାକୁ ବ୍ୟବହାର ନକରି ଶୀଘ୍ର ହଟାଯାଉ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଖପାଖର ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଲୋକଙ୍କ କହିବା କଥା ଯେ ସେମାନଙ୍କୁ ଇସ୍କନ ମନ୍ଦିର ବୋଲି କୁହାଯାଇଥିବାରୁ ହିଁ ସେମାନେ ମନ୍ଦିର ଉଦ୍ଦେଶ୍ୟରେ ଦାନ କରିଥିଲେ । ନଚେତ୍ ସେମାନେ ଏତେ ମାତ୍ରାରେ ଅର୍ଥ ହୁଣ୍ଡିକୁ ଦେଇନଥାନ୍ତେ । ଅନ୍ୟପକ୍ଷରେ ମନ୍ଦିର ମହନ୍ତଙ୍କ କାର୍ଯ୍ୟକଳାପକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା  । ଅଞ୍ଚଳବାସୀଙ୍କ କହିବା କଥା ଯେ ମନ୍ଦିର ପରିସରରେ ଥିବା ମଠରେ ଭଗବତ ବିରୋଧୀ କାର୍ଯ୍ୟ ଚାଲୁଛି ।

ସେହିଭଳି ମଠରେ କୌଣସି ମହିଳା ରହିବା ନେଇ ବାରଣ କରାଯାଇଥିଲେ ମଧ୍ୟ ମଠ ପରିସରରେ ମହିଳାଭକ୍ତମାନେ ରହୁଛନ୍ତି । ମହନ୍ତଙ୍କର ଏଭଳି କାର୍ଯ୍ୟକଳାପ ତାଙ୍କୁ ବିବାଦୀୟ କରିଥିବା ବେଳେ ମହନ୍ତଙ୍କୁ ଏପ୍ରସଙ୍ଗରେ ପ୍ରଶ୍ନ ପଚରାଯିବା ପରେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି । ସ୍ଥାନୀୟ ଲୋକେ ଘଟଣାର ତଦନ୍ତ ସହ ମହନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply