ମନରେଗା ଯୋଜନାରେ ଦୁର୍ନୀତି, ବିନା ସୂଚନା ଫଳକରେ ଚାଲିଛି ପୋଖରୀ ଖୋଳା କାମ

Odisha Salepur

ସାଲେପୁର: ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ । ବିନା ସୂଚନା ଫଳକରେ ଚାଲିଛି ପୋଖରୀ ଖୋଳା କାମ । ମଣିଷ ବଦଳରେ ମେସିନ୍ ଖୋଳୁଛି ପୋଖରୀ । ଯାହାକୁ ନେଇ ଗ୍ରାମବାସୀ ଆପତ୍ତି ଉଠାଇଥିବା ବେଳେ ଆର୍‌ଟିଆଇ ତଥ୍ୟ ଦୁର୍ନୀତିର ଆଉ ଏକ ଚେର ଖୋଲି ଦେଇଛି ।

ଆରଟିଆଇ ତଥ୍ୟରେ କାମ ପୂର୍ବରୁ ବିଲ୍ ହୋଇଥିବା ଦେଖାଯାଇଛି । ଏଭଳି ଦୁର୍ନୀତିର ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ପୁରୁଣା ହାଟ ପଞ୍ଚାୟତ କାଳିକାପୁର ଗାଁରୁ । ମନରେଗା ଯୋଜନାରେ ଗାଁରେ ପୋଖରୀ ଖୋଳା ଯାଉଥିବା ବେଳେ ଏହାକୁ କିନ୍ତୁ ମଣିଷ ବଦଳରେ ମେସିନ୍ ଖୋଳୁଛନ୍ତି । ତାହା ବି ପୁଣି ବିନା ସୂଚନା ଫଳକରେ । ଯାହାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ଗ୍ରାମବାସୀ ।

ସବୁଠୁ ରୋଚକ କଥା ହେଲେ ପୋଖରୀ ଖୋଳା ବାବଦରେ ଗାଁର ଓ୍ବାର୍ଡ ମେମ୍ବର କିଛି ଜାଣିନାହିଁନ୍ତି । ସେପଟେ ସୂଚନା ଅଧିକାର ଆଇନ ଦୁର୍ନୀତିର ଆଉ ଏକ ଚେରକୁ ଖୋଲି ଦେଇଛି । ପୋଖରୀ ଖୋଳା ସମ୍ପୂର୍ଣ୍ଣ ହୋଇନଥିଲେ ମଧ୍ୟ ୨୦୨୦ ଅକ୍ଟୋବର ମାସରୁ ୪ ଲକ୍ଷ ୭୦ ହଜାର ଟଙ୍କା ବିଲ୍ ହୋଇଥିବା ଜଣାପଡିଛି । ଏବାବଦରେ ଅତିରିକ୍ତ ବିଡିଓ କିଛି କହିନଥିବା ବେଳେ ଆସିଷ୍ଟାଣ୍ଡ ଏନଆରଜିଏସ୍‌ ଅଧିକାରୀ, ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାଳିକାପୁରରେ ପୋଖରୀ ଖୋଳାରେ ଦୁର୍ନୀତି ସାମ୍ନାକୁ ଆସଥିବା ବେଳେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply