ବିରି ମଞ୍ଜି ବଣ୍ଟନରେ ଦୁର୍ନୀତି: ଅଧ କିଲୋ ବିହନ ଦେଇ ୮ କିଲୋ ଲେଖି ଟଙ୍କା ହରିଲୁଟ

ନନ୍ଦିଘୋଷ ବ୍ୟୁରୋ: ବଡ଼ମ୍ବା ବ୍ଲକରେ ବିରି ମଞ୍ଜି ବଣ୍ଟନରେ ବ୍ୟାପକ ଦୁର୍ନୀତି । ଅଧ କିଲୋ ମଞ୍ଜି ଦେଇ ଚାଷୀଙ୍କୁ ୮ କିଲୋ ଦିଆଯାଇଥିବା ପଡ଼ିଥିବା ଅଭିଯୋଗ ହୋଇଛି । ବଡମ୍ବା ବେଲିଆପାଳ ପଞ୍ଚାୟତରୁ ଆସିଛି ଏମିତି ଅଭିଯୋଗ । ଏନଜିଓ ସଂସ୍ଥା ଓ ବିଭାଗୀୟ ଅଧିକାରୀ ହରିଲୁଟ କରିଥିବା ହୋଇଛି ଅଭିଯୋଗ ।
ଅଧ କିଲୋ ମଞ୍ଜି ଦେଇ ଚାଷୀଙ୍କ ନାଁରେ ପଡ଼ିଛି ୮ କିଲୋ । କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ବିରି ମଞ୍ଜି ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ହେଉଛି ବେଧଡ଼ ମଞ୍ଜି ଲୁଟ । ସରକାରୀ ବାବୁ ଓ ବଣ୍ଟନ ଦାୟିତ୍ବରେ ଥିବା ଏନଜିଓର ମଧୁଚନ୍ଦ୍ରିକାରେ ଏପରି ହରିଲୁଟ ହୋଇଛି । ଆଉ ଏଥିରେ ସାମିଲ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ଚାଷୀ ଅଭିଯୋଗ କରିଛନ୍ତି ।
ବେଲିଆପାଳ ଗାଁର କୁମୁଦିନି ସାହୁ । କୃଷି ବିଭାଗ ପକ୍ଷରୁ ତାଙ୍କୁ ମିଳିଛି ୫୦୦ ଗ୍ରାମ ବିରି ବିହନ । କିନ୍ତୁ ସରକାରୀ ତଥ୍ୟରେ ଦର୍ଶାଯାଇଛି ତାଙ୍କୁ ୮ କିଲୋ ବିହନ ମିଳିଛି । ସେହିପରି ଏକ ଏକରରୁ ଅଧିକ ଜମି ଥିବା ସୁପ୍ରଭା ମୁଦୁଲିଙ୍କୁ ମଧ୍ୟ ମାତ୍ର ଅଧି କିଲୋ ବିହନ ମିଳିଛି । ଏପରି ଆହୁରି ଅନେକ ଚାଷୀ ଅଧ କିଲୋ ବିହନ ପାଇଥିବା ଅଭିଯୋଗ କରିଛନ୍ତି ।
ବଡ଼ମ୍ବା ବ୍ଲକକୁ ରାଜ୍ୟ ସରକାର ଚଳିତ ବର୍ଷ ୧୦୦ କ୍ୱିଣ୍ଟାଲ ବିରି ଦେଇଥିଲେ । ଚାଷୀ ଚିହ୍ନଟ କରି ବିହନ ବଣ୍ଟନ କରିବା ଦାୟିତ୍ବ ହେଉଛି ଭିଏଡବ୍ଲ୍ୟୁଙ୍କର । ହେଲେ ବ୍ଲକରେ ବଣ୍ଟନ ଦାୟିତ୍ବରେ ଥିବା ଏନଜିଓ ଓ ଭିଏଡବ୍ଲ୍ୟୁ କେମିତି ଚାଷୀଙ୍କୁ ଏତେ କମ ପରିମାଣରେ ବିରି ବିହନ ବଣ୍ଟନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି ।
ଏନେଇ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଦୁର୍ନୀତି ନେଇ ତାଙ୍କ ପାଖରେ କିଛି ଖବର ନଥିବା ସେ କହିଛନ୍ତି । ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।
ସରକାରୀ ବିହନକୁ ଅନାଇ ଚାଷୀ ହନ୍ତସନ୍ତ ହେଲେ । ନିଅଣ୍ଟିଆ ବିହନ ପାଇଁ ଚାଷ କାର୍ଯ୍ୟ ବି ବାଧାପ୍ରାପ୍ତ ହେଲା । ଏଥିପାଇଁ କିଏ ଦାୟୀ ? କାହିଁକି ଚାଷୀଙ୍କୁ ଧାର୍ଯ୍ୟ ପରିମାଣଠାରୁ କମ ବିହନ ବଣ୍ଟନ ହେଲା । କୃଷି ମନ୍ତ୍ରୀ ଓ ତାଙ୍କ ବିଭାଗ ଏ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ଉଠିବାରେ ଲାଗିଛି ।