ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ: ଦୁର୍ନୀତିର ସ୍ଥାନ ନାହିଁ

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ । ଯିଏ ବି ଦୁର୍ନୀତି କରିଛି ତାଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଚାକିରିରୁ ବିଦା କରିବା ସହ ପେନସନ ବି ବନ୍ଦ କରାଯାଇଛି । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜୁନ ୩୦ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ୭୫୮ ଜଣଙ୍କ ବିରୋଧରେ କେସ୍ କରାଯାଇଛି । ସେମାନଙ୍କ ମଧ୍ୟରୁ ୪୦୪ଙ୍କ ନାଁରେ ହୋଇଛି କ୍ରିମିନାଲ କେସ୍ । ଯେଉଁଥିରେ ୭୬ ଜଣ ‘କ’ ଏବଂ ୬୮ ଜଣ ‘ଖ’ ବର୍ଗ ଅଧିକାରୀ ଅଛନ୍ତି । ୨୭୨ ଜଣଙ୍କୁ ଗିରଫ କରାଯିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି । ୭୫ଟି ମାମଲାରେ ୮୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ପିସି କାରବାର ଅଭିଯୋଗ ନେଇ ଆଗତ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତରରେ ଏଭଳି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଶାସନ ବ୍ୟବସ୍ଥାରେ ଶୂନ୍ୟ ସହନଶୀଳତାକୁ କିପରି ଗୁରୁତ୍ବ ଦିଆଯାଇଛି ତାହା ନିମାପଡ଼ା ସହକାରୀ ଯନ୍ତ୍ରୀ ଗିରଫ ହେବା ଓ ଟଙ୍କା ଜବତ ହେବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି କହିଛି ଶାସକ ଦଳ । ସ୍ବଚ୍ଛତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଦୁର୍ନୀତିକୁ ଧିରେ ଧିରେ ମୂଳପୋଛ କରୁଛନ୍ତି । କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ପ୍ରଦାନଠାରୁ ଆରମ୍ଭ କରି ବିଲ୍ ପୈଠ ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ କରାଯାଉଛି । ସବୁକ୍ଷେତ୍ରରେ ସ୍ବଚ୍ଛତାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉ ଥିବା ବିଜେଡି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ  ବିରୋଧୀ କିନ୍ତୁ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ କହିବା କଥା, ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଭିଜିଲାନ୍ସକୁ ସୁଦୃଢ଼ କରାଯାଉ ।

ନେତା, ବିଧାୟକ ଓ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ସ୍ତରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।