ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ କୁବେର ଯନ୍ତ୍ରୀ

ଭୁବନେଶ୍ୱର: ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ପଚରାଉଚରା କରୁଛି ତଦନ୍ତକାରୀ ଟିମ୍ । କେମିତି ଆସିଲା ଏତେ ଟଙ୍କା, କେମେତି ଆୟ କଲେ ଏତେ ଟଙ୍କା ସେନେଇ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଭିଜିଲାନ୍ସ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମ୍ପତ୍ତିର ମଧ୍ୟ ଖୋଳତାଡ଼ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସ ଯାଞ୍ଚ ବେଳେ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଅର୍ଥାତ ଶାଳୀଙ୍କ ଘରୁ ଟଙ୍କା ଠାବ ହୋଇଥିଲା । ସାଲିଆ ସାହି ସ୍ଥିତ ତାଙ୍କ ଶାଳୀ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ ହୋଇଥିଲା । ରେଡ୍ ବେଳେ ମୋଟାମୋଟି ଭାବେ ୩୬୦ ଗ୍ରାମ୍ ସୁନା ଓ ଏକ କିଲୋରୁ ଅଧିକ ରୁପା ମଧ୍ୟ ଜବତ ହୋଇଛି । ସେହିପରି ପୋଖରୀପୁଟରେ ଥିବା ଟ୍ରିପ୍ଲେକ୍ସର ଦାମ ୭୮ ଲକ୍ଷ ୫୦ ହାଜର ଟଙ୍କା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ । ମାମଲାରେ କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀ ସ୍ୱାମୀଙ୍କ ବେଆଇନ ଟଙ୍କା କାରବାରକୁ ପ୍ରୋତ୍ସାହନ ଓ ଟଙ୍କା ଲୁଚାଇବା ଅଭିଯୋଗରେ କଳ୍ପନା ପ୍ରଧାନକୁ ଗିରଫ କରାଯାଇଛି ।