ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଟଙ୍କା ଗିଳିଦେଲେ ବି ବର୍ତ୍ତି ପାରିବେ ନାହିଁ ଦୁର୍ନୀତିଗସ୍ତ ଅଫିସର

1 min read

ନୂଆଦିଲ୍ଲୀ: ଲୋକଙ୍କୁ ଠାରୁ ବିଡାବିଡା ଟଙ୍କା ନେଉଥିଲେ ସରକାରୀ ଅଧିକାରୀ। ହେଲେ ଏସିବି ପଞ୍ଝାରେ ଫସିଗଲେ । ସ୍ଥିତି ଏଭଳି ଯେ ନିଜକୁ ବଞ୍ଚାଇବା ପାଇଁ ତଥା ପ୍ରମାଣ ଲୁଚାଇବାକୁ ନୋଟ୍ ଗିଳିଦେଲେ ଅଧିକାରୀ । ଏପରି ଏକ ଘଟଣା ଘଟିଛି ଦିଲ୍ଲୀ ନିକଟ ଫରିଦାବାଦରେ ।  ଏହି ଘଟଣା ପରେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ତଳେ ପକାଇ ଜୋର ଜବରଦସ୍ତ ତାଙ୍କ ପାଟିରୁ ଟଙ୍କା ବାହାର କରିନେଇଥିଲେ ଏସିବି ଅଫିସର ମାନେ।

ଦେଶରେ ଦିନକୁ ଦିନ ଭ୍ରଷ୍ଟାଚାର ନଜର ଆସୁଥିବା ବେଳେ ମାମଲା ବଢିବାରେ ଲାଗିଛି । କେହିକେହି ଧରାପଡୁଥିବା ବେଳେ ଆଉ କେହି ବର୍ତ୍ତିଯାଉଛନ୍ତି । ଏନେଇ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ସରକାରୀ ଅଧିକାରୀ ଦୁର୍ନୀତି କରିଛନ୍ତି କିନ୍ତୁ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ନାହିଁ । ସେଭଳି ସ୍ଥଳେ ପରିସ୍ଥିତି ଜନିତ ପ୍ରମାଣକୁ ଆଧାର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଦୁର୍ନୀତି ନିବାରଣ ଆଇନ ଅନୁସାରେ ଜଣେ ବାବୁଙ୍କୁ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରିବା ଲାଗି ସେ ଲାଞ୍ଚ ମାଗିବା ଓ ଲାଞ୍ଚ ଗ୍ରହଣ କରିବାର ପ୍ରତ୍ୟକ୍ଷ ବା ସିଧାସଳଖ ପ୍ରମାଣ ଅନାବଶ୍ୟକ । ପରୋକ୍ଷ ଅଭିଯୋଗ କ୍ରମେ ବି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ । ଯଦି ଜଣେ ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଅଭିଯୋଗକାରୀ ଓ ଏପରିକି ସାକ୍ଷୀମାନେ ପରେ ନିଜର ମତ ବଦଳାନ୍ତି ସେ କ୍ଷେତ୍ରରେ ବି ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଅନ୍ୟାନ୍ୟ ସାକ୍ଷୀମାନଙ୍କ ବୟାନ ଉପରେ କୋର୍ଟ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଜଷ୍ଟିସ ଏସ. ଅବଦୁଲ ନାଜିର, ବି.ଆର. ଗାଭାଇ. ଏଏସ ବୋପାନ୍ନା, ଭି. ରାମସୁବ୍ରମଣ୍ୟମ ଓ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ସିଧାସଳଖ ମୌଖିକ ଅଭିଯୋଗ ଓ ନଥିଗତ ପ୍ରମାଣ ନଥିବା ସତ୍ତ୍ବେ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ।