ବଦଳିଲା ଆମେରିକାର ଆଭିମୁଖ୍ୟ ? ପ୍ରଧାନମନ୍ତ୍ରୀ ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ କଲା ଅନ୍‌ଫଲୋ

ମାତ୍ର କେଇ ଦିନ ମଧ୍ୟରେ ବଦଳିଗଲା ଆମେରିକାର ଆଭିମୁଖ୍ୟ । କରୋନା ସଙ୍କଟରେ ଯେତେବେଳେ ଭାରତକୁ ସାହାଯ୍ୟ ମାଗୁଥିଲା, ସେତେବେଳେ ଭାରତ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଥିଲା । ଆଉ ସାହାଯ୍ୟ ପାଇବା ପରେ ଆମେରିକା ବଦଳାଇଦେଲା ତା’ର ଆଭିମୁଖ୍ୟ । ଏଭଳି କିଛି ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ, ହ୍ଟାଇଟ୍‌ ହାଉସ୍‌ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଭାରତର ୫ ଟ୍ୱିଟର ହାଣ୍ଡେଲକୁ ଫଲୋ କରାଯାଇଥିଲା । ହେଲେ ଏହାର କିଛି ଦିନ ପରେ ହ୍ୱାଇଟ୍‌ ହାଉସ୍‌ ସେମାନଙ୍କୁ ଅନ୍‌ଫଲୋ କରିଛି ।

କରୋନା ଭାଇରସ୍‌ ମହାସଙ୍କଟ ସମୟରେ ଯେତେବେଳେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଆବଶ୍ୟକ ଥିଲା, ସେତେବେଳେ ଭାରତ ସହଯୋଗର ହାତ ବଢ଼ାଇଥିଲା । ଏହାର କିଛି ଦିନ ପରେ ଅର୍ଥାତ୍‌ ୧୦ ଏପ୍ରିଲ୍‌ରେ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଭାରତର ୫ ଟ୍ୱିଟର ହାଣ୍ଡେଲକୁ ଫଲୋ କରାଯାଇଥିଲା ।

white house twitter

ଏହି ୫ ଜଣଙ୍କ ମଧ୍ୟରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଥିବା ଭାରତୀୟ ଦୂତାବାସ ଓ ଭାରତରେ ଥିବା ଆମେରିକାର ଦୂତାବାସ । ଏହା ସହ ଆମେରିକାର ରାଜଦୂତ କେନ୍‌ ଜସ୍ଟରଙ୍କୁ ମଧ୍ୟ ହ୍ୱାଇଟ୍‌ ହାଉସ୍‌ ଫଲୋ କରିଥିଲା । ଏହି ସମସ୍ତଙ୍କୁ ମିଶାଇ ହ୍ୱାଇଟ୍‌ ହାଉସ୍‌ର ଫଲୋଇଂ ସଂଖ୍ୟା ୧୯ରେ ପହଞ୍ଚିଥିଲା ।

ହେଲେ ଏହାର କିଛି ଦିନ ପରେ ହ୍ୱାଇଟ୍‌ ହାଉସ ପକ୍ଷରୁ ସମସ୍ତଙ୍କୁ ଅନ୍‌ଫଲୋ କରାଯାଇଛି । ଏବେ କେବଳ ଆମେରିକା ପ୍ରଶାସନ ଓ ଡୋନାଲ୍ଡ ଟ୍ରମ୍ପ ସହ ସମ୍ପର୍କ ଥିବା ମୋଟ ୧୩ଟି ଟ୍ୱିଟର ହାଣ୍ଡେଲକୁ ଫଲୋ କରୁଛି ହ୍ୱାଇଟ୍‌ ହାଉସ୍‌ ।

ସୂଚନାଯୋଗ୍ୟ ଭାରତ ପକ୍ଷରୁ ବହୁଳ ମାତ୍ରାରେ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଔଷଧ ଦିଆଯାଇଛି । ଖାଲି ଆମେରିକା ନୁହେଁ ବିଭିନ୍ନ ଦେଶକୁ ଭାରତର ଏହି ଔଷଧ ଯୋଗାଇଛି ।

Leave a Reply