ଜାନୁଆରୀରେ ଆସିବ କରୋନା ଭ୍ୟାକ୍ସିନ୍‌, ଆମେରିକୀୟ କମ୍ପାନୀ ଦେଲା ଆଶା…

1 min read

କରୋନା ଭାଇରସ୍ ଟିକା ଖୋଜିବା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆମେରିକାର ଏକ କମ୍ପାନୀ ଭ୍ୟାକ୍ସିନ୍‌ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଚାଇନାରେ ଏକ ଭ୍ୟାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହୋଇସାରିଛି । ଏହା ଆସନ୍ତା ବର୍ଷ ଆରମ୍ଭରୁ ବଜାରରେ ଉପଲବ୍ଧ ହୋଇପାରେ । ଚାଇନାରେ ଏବେ ସୁଦ୍ଧା ମଣିଷ ଉପରେ ପାଞ୍ଚଟି ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇ ସାରିଛି, ଯାହା ଅନ୍ୟ ଦେଶ ଅପେକ୍ଷା ସର୍ବାଧିକ । ସେଠାରେ ଥିବା ଅନ୍ୟ ଏକ କମ୍ପାନୀ, ସିନୋଭାକ୍ ବାୟୋଟେକ୍ ଦାବି କରିଛି ଯେ, ତା’ର ଭ୍ୟାକ୍ସିନ୍‌ ୯୯% କରୋନା ଭୂତାଣୁକୁ ନଷ୍ଟ କରିବାରେ ସଫଳ । ସେପଟେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରୁଷ ନିଜ ଭ୍ୟାକ୍ସିନ୍‌ର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବ । ଆସନ୍ତା ସପ୍ତାହରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ଆଭିଫାଭିର ନାମକ ଏକ ଔଷଧ ବ୍ୟବହାର କରାଯିବ ।

କରାେନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ରେସ୍‌ ଲାଗିଛି

ସାରା ବିଶ୍ୱରେ କରୋନା ଭ୍ୟାକ୍ସିନ୍‌ ତିଆରି କରିବାରେ ଏକ ପ୍ରତିଯୋଗୀତା ଚାଲିଛି । ପ୍ରାୟ ୧୨୦ଟି ଭ୍ୟାକ୍ସିନ୍‌ ଉପରେ ଏବେ ରିସର୍ଚ୍ଚ ଚାଲିଛି । ସେଥିମଧ୍ୟରୁ ପ୍ରାୟ ୧୦ଟି ଭ୍ୟାକ୍ସିନ୍‌ ଏମିତି ରହିଛି ଯାହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୬୪ ଲକ୍ଷକୁ ଛୁଇଁ ସାରିଲାଣି । ଆଉ ସେଥିମଧ୍ୟରୁ ପ୍ରାୟ ୩.୭୭ ଲକ୍ଷ ଲୋକ ମୃତ୍ୟୁ ବରଣ କରିସାରିଲେଣି ।

ଏଥିପାଇଁ ଯଥାଶୀଘ୍ର ଭ୍ୟାକ୍ସିନ୍‌ ପାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇଥିବା ଏହି ଟିକା ଚୀନରେ କାନସିନୋ ଆଡେନୋଭାଇରସ୍ ଭ୍ୟାକ୍ସିନ୍‌, ଅକ୍ସଫୋର୍ଡ ୟୁନିଭରସିଟିର ଆଡେନୋଭାଇରସ୍ ଭ୍ୟାକ୍ସିନ୍, ମୋଡର୍ନାର mRNA ଭ୍ୟାକ୍ସିନ୍‌ ଏବଂ ନୋଭାଭ୍ୟାକ୍ସକୁ ଅନ୍ତର୍ଭୁକ୍ତ କରିଛି । ଏଗୁଡିକ ବ୍ୟତୀତ, ଅନେକ ଭ୍ୟାକ୍ସିନ୍‌ର ପ୍ରାରମ୍ଭିକ ପରୀକ୍ଷଣ ମଧ୍ୟ ଅତ୍ୟନ୍ତ ସଫଳ ହୋଇଥିବା ଜଣାପଡ଼ିଛି ।

ଆମେରିକୀୟ ଟିକା କମ୍ପାନୀ ଆଶା ଦେଖାଇଛି

ଆମେରିକାର ମୋଡେର୍ଣ୍ଣା କମ୍ପାନୀର ଭ୍ୟାକ୍ସିନ୍‌ ଏବେ ସାରା ବିଶ୍ୱ ପାଇଁ ଆଶାର ଆଲୋକ ଦେଖାଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ଭିନ୍ନ ଭିନ୍ନ ବୟସ ଗୋଷ୍ଠୀର ପ୍ରାୟ ୫୦୦ ଆକ୍ରାନ୍ତଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି । କମ୍ପାନୀ SARS-CoV-2 ଭୂତାଣୁରୁ ଜେନେଟିକ୍ ସାମଗ୍ରୀ ବ୍ୟବହାର କରି ଏହି mRNA ଟିକା ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନ୍‌ ମାନବ ଶରୀରରେ ଭୂତାଣୁ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବ ।

Leave a Reply