ଭଲ ଖବର: ଫେବ୍ରୁଆରୀ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟରେ ଆଶା ବଢାଉଛି ଟିକା । ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍‌ରେ ଅନୁମତି ମିଳିଛି । ଭାରତ ସରକାର ମଧ୍ୟ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି ।

ଏଭଳି ହେଲେ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଦଫାରେ ଅକ୍ସଫୋର୍ଡ ଟିକା ମିଳିଯିବ । ଲୋକଙ୍କୁ ଏପ୍ରିଲ ସୁଦ୍ଧା ଟିକା ଦିଆଯିବା ପାଇଁ ଯୋଜନା ହୋଇଛି । ସେରମ ଇନଷ୍ଟିଚ୍ୟୁଟ୍ ଆସନ୍ତା ମାସ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବ । ଟିକାର ଧାର୍ଯ୍ୟ ଦରଠାରୁ ୫୦ ପ୍ରତିଶତ ରିହାତିରେ ସେରମଠାରୁ ଏହାକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ୫ଶହରୁ ୬ଶହ ଟଙ୍କା ମଧ୍ୟରେ ଟିକାର ଦୁଇଟି ଡୋଜ୍ କିଣିବାକୁ ଲକ୍ଷ୍ୟ ରହିଛି ।

ସେପଟେ ପ୍ରଥମ ଓ ଦ୍ବିତୀୟ ଟ୍ରାଏଲର ତଥ୍ୟ ଦେବା ପରେ କୋଭାକ୍ସିନ୍‌କୁ ଜରୁରୀ କାଳୀନ ବ୍ୟବହାର ଅନୁମତି ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍‌ସିନ୍ କରୋନାକୁ ମାତ୍ ଦେବାରେ ୬୦ ପ୍ରତିଶତ ସକ୍ଷମ ବୋଲି କମ୍ପାନୀ ଦାବି କରିଛି । ଚଳିତମାସ କୋଭାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍‌ ଆରମ୍ଭ ହୋଇଛି । ସେପଟେ  ଡିସେମ୍ବର ୧୧ରେ ଆମେରିକାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ଏନେଇ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନ୍‌ଟେକ୍ ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛନ୍ତି ।

ଆସନ୍ତା ବର୍ଷ ଆରମ୍ଭରେ ଟିକା ଉପଲବ୍ଧ !

ନୀତି ଆୟୋଗ ସଦସ୍ୟ ଡଃ ଭି.କେ ପାଲଙ୍କ ଅନୁଯାୟୀ,  ଆଷ୍ଟ୍ରାଜେନକାକୁ ଯଦି ବ୍ରିଟେନରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାରର ଅନୁମତି ମିଳେ, ତେବେ ଏହା ଭାରତରେ ମିଳିବା ନେଇ ମଧ୍ୟ ବିଚାର କରାଯିବ । ସେ କହିଛନ୍ତି ଯେ ଯଦି ଏହା ହୁଏ ତେବେ ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଏହି ଟିକା ଉପଲବ୍ଧ ହେବ । ଭାରତରେ, ଏହି ସମ୍ଭାବ୍ୟ ଟିକା ପରୀକ୍ଷା ତୃତୀୟ ପର୍ଯ୍ୟାୟ ସମାପ୍ତ ହେବା ପୂର୍ବରୁ ପ୍ରଥମେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ।

Leave a Reply