କରୋନା ପାଇଁ ଆର୍ଥିକ ସଙ୍କଟ: ଆପଣଙ୍କ ଖାତାକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର !
1 min readନୂଆଦିଲ୍ଲୀ: କରୋନା ଭାଇରସର ବଢୁଥିବା ଆତଙ୍କ ଭିତରେ ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଏମିତିରେ ଭାରତୀୟ ଅର୍ଥନୀତି ମଧ୍ୟ କରୋନା ପ୍ରଭାବରୁ ବାଦ ପଡ଼ିନି । କରୋନା ପ୍ରଭାବକୁ ରୋକିବା ପାଇଁ ସରକାର କଂପାନି ଗୁଡିଙ୍କୁ ନିଜ ଅଫିସ ସାମୟିକ ଭାବେ ବନ୍ଦ କରିବାକୁ କହିଛନ୍ତି । କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେବାକୁ ସରକାର କହିଛନ୍ତି । ଆର୍ଥିକ ମାନ୍ଦାବସ୍ଥା କାରଣରୁ ଲୋକଙ୍କ ଚାକିରି ଯିବାର ଆଶଙ୍କା ରହିଛି । ଏମିତିରେ ମିଣ୍ଟ ତାର ଏକ ରିପୋର୍ଟରେ ଦାବି କରିଛି ଯେ, କରୋନା ପ୍ରଭାବିତଙ୍କୁ ସରକାର ୟୁନିଭର୍ସାଲ ବେସିକ୍ ଇନକମ୍ –ୟୁବିଆଇ ଜରିଆରେ ଆର୍ଥିକ ସାହାଯ୍ୟ କରିବେ ।
ଲାଇଭ୍ ମିଣ୍ଟ୍ ଅନୁସାରେ ଯଦି ୟୁବିଆଇ ସ୍କିମ୍ ଲାଗୁ ହୁଏ ତେବେ ତେବେ ଏହା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ରୂପ ନେବାର ସମ୍ଭାବନା ରହିଛି । ପିଏମ୍ କିସାନ ନିଧି ଯୋଜନାରେ କୃଷକଙ୍କୁ ବିନା କୌଣସି ସର୍ତ୍ତରେ ସେମାନଙ୍କ ଖାତାକୁ ଟଙ୍କା ଟ୍ରାନସଫର କରାଯାଇଥାଏ ।
ୟୁନିଭର୍ସାଲ ବେସିକ୍ ଇନକମ୍ ସ୍କିମର ବିଚାର ପ୍ରଥମ ଥର ପାଇଁ ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଫେସର ଗାଏ ଷ୍ଟାଣ୍ଡିଂ ରଖିଥିଲେ । ମଧ୍ୟପ୍ରଦେଶର ଏକ ପଂଚାୟତରେ ଏହାକୁ ପରିକ୍ଷମୁଳକ ଭାବେ ଲାଗୁ କରାଯାଇଥିଲା । ଯାହାର ସକରାତ୍ମକ ପରିଣାମ ଆସିଥିଲା । ୟୁନିଭର୍ସାଲ ବେସିକ୍ ଇନକମ ଏକ ନିଶ୍ଚିତ ଆୟ ହୋଇଥାଏ, ଯାହା ଧନି, ଗରିବ, ରୋଜଗାରକ୍ଷମ ଓ ବେକାର ସମସ୍ତଙ୍କୁ ସରକାର ଦେଇଥାନ୍ତି । ଏହି ଆୟ ପାଇଁ କୌଣସି ସର୍ତ୍ତ ଲାଗୁ ହୋଇ ନଥାଏ । ସମାଜର ସମସ୍ତ ବ୍ୟକ୍ତି ଯେମିତି ଜୀବନ ଧାରଣ ପାଇଁ ସର୍ବନିମ୍ନ ଆୟ ପାଇବେ, ତାହା ହେଉଛି ଏହି ସ୍କିମର ଲକ୍ଷ୍ୟ ।
ଅନେକ ଅର୍ଥନୀତିଜ୍ଞଙ୍କ ବିଶ୍ୱାସ ଯେ, UBI ଲକ୍ଷାଧିକ ଚାକିରିଆଙ୍କୁ କରୋନା ଭଳି ପରିସ୍ଥିତିରେ ସାହାଯ୍ୟ କରିବ । କରୋନା କାରଣରୁ ବିନା ଦରମାରେ ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ ଅନେକ ଲୋକ ଏହାଦ୍ୱାରା ଉପକୃତ ହେବେ ।
ଦିନ ମଜୁରିଆଙ୍କୁ ଭତ୍ତା ଦେବ ଉତ୍ତର ପ୍ରଦେଶ ସରକାର
ଭାରତ ସରକାର ୟୁବିଆଇ ଆଣିବାକୁ ଚିନ୍ତା କରୁଥିବା ବେଳେ ଉତ୍ତର ପ୍ରଦେଶ ସରକାର ଦିନ ମଜୁରିଆଙ୍କୁ ଦୈନିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । କରୋନା କାରଣରୁ କାମ ପାଉନଥିବା ଦିନ ମଜୁରିଆଙ୍କ ଭରଣ ପୋଷଣ ରାଜ୍ୟ ସରକାର କରିବେ ବୋଲି ଯୋଗି ଆଦିତ୍ୟନାଥ କହିଛନ୍ତି ।
ହଂକଂ ସରକାର ପ୍ରତି ନାଗରିକଙ୍କୁ ଦେଉଛନ୍ତି ୯୪,୪୨୦ ଟଙ୍କା
ହଂକଂ ସରକାର ଅର୍ଥନୀତି ଉପରେ ପଡିଥିବା ପ୍ରଭାବର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଦେଶର ୭୦ ଲକ୍ଷ ନାଗରିକଙ୍କୁ ସହାୟତା ରାଶି ଦିଆଯିବ ବୋଲି ସେଠାକାର ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ହଂକଂ ସରକାର ପ୍ରତି ନାଗରିକଙ୍କୁ ୯୪,୭୨୦ ଟଙ୍କା ପ୍ରଦାନ କରିବେ ।
ଆମେରିକା ସରକାର ମଧ୍ୟ ଦେବେ ପ୍ରତି ନାଗରିକଙ୍କୁ ୭୪ ହଜାର ଟଙ୍କାର ଚେକ୍ !
କରୋନା ମାଡରେ ଅସ୍ତବ୍ୟସ୍ତ ଆମେରିକୀୟ ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇବା ପାଇଁ ଆମେରିକା ରାଷ୍ଟ୍ରପତି ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ସ୍କିମ୍ ଜରିଆରେ ଆମେରିକୀୟ କର୍ମଚାରୀଙ୍କୁ ନଗଦ ଟଙ୍କା ଦିଆଯିବ । ପ୍ରତି ଆମେରିକୀୟ ନାଗରିକ ସରକାରଙ୍କଠାରୁ ୧ ହଜାର ଡଲାର ବା ୭୪ ହଜାର ଟଙ୍କା ପାଇବେ ବୋଲି କୁହାଯାଉଛି ।