ମାଡୁଛି କରୋନା: ଦିଲ୍ଲୀରେ କମ୍ୟୁନିଟି ସ୍ପ୍ରେଡ, ମୁମ୍ବାଇରେ ତୃତୀୟ ଲହର !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି । ଦେଶରେ ପୁଣି ୧୦ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ପ୍ରତିଶତ ବଢିଛି କରୋନା ଗ୍ରାଫ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସେଥିମଧ୍ୟରୁ ଦିଲ୍ଲୀରେ ୯୨୩ ମାମଲା ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ୨୫୧୦ ନୂଆ ମାମଲା । ଓମିକ୍ରନ କାରଣରୁ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି ବୋଲ କୁହାଯାଉଛି । ଏପରି ସ୍ଥିତିରେ ଦିଲ୍ଲୀ, ମୁମ୍ବାଇ ଓ ବିହାରରେ ତୃତୀୟ ଲହର ଆରମ୍ଭ ହୋଇସାରିଛି ବୋଲି କୁହାଯାଉଛି ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ଗୁରୁବାର ଏକ ପ୍ରେସ କନଫରମେନ୍ସରେ କହିଛନ୍ତି କି ଦିଲ୍ଲୀରେ ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ମଧ୍ୟରୁ ୪୬ ପ୍ରତିଶତ ମାମଲା ଓମିକ୍ରନ ଆକ୍ରାନ୍ତ ଅଟେ । ପ୍ରଥମରୁ ବିଦେଶରୁ ଆସୁଥିବା ଲୋକଙ୍କ ମଧ୍ୟରେ ଓମିକ୍ରନ ମାମଲା ଚିହ୍ନଟ ହେଉଥିଲା । ଏବେ କିନ୍ତୁ ସାଧାରଣ ଲୋକ ବି ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି ସତେନ୍ଦ୍ର ଜୈନ ।

ଦିଲ୍ଲୀ ସହ ମୁମ୍ବାଇରେ ମଧ୍ୟ କରୋନା କେସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୁମ୍ବାଇରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କହିଛନ୍ତି କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ । ଆଗକୁ ସଂକ୍ରମଣ ଅଧିକ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି । ମୁମ୍ବାଇରେ ସଂକ୍ରମଣ ୮୨ ପ୍ରତିଶତ ଓ ଦିଲ୍ଲୀରେ ପଜିଟିଭିଟି ରେଟ୍ ୧.୨୯ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଦିଲ୍ଲୀ ଓ ମୁମ୍ବାଇ ନୁହେଁ ଭାରତର ଅନେକ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗୁଜୁରାଟରେ ବି ବୁଧବାର ୫୪୮ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ବି ବୁଧବାର ୧୦୮୯ ନୂଆ ମାମଲା ସାମ୍ନାକୁ ଆସିଛି । ବିଗତ ଛଅ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଏହା ସର୍ବାଧିକ କେସ୍ ଚିହ୍ନଟ ହୋଇଛନ୍ତି ।

Leave a Reply