କରୋନାର ପ୍ରଭାବରେ ମଧ୍ୟବିତ୍ତ ତାଲିକାରୁ ତଳକୁ ଖସିଲେ ୩ କୋଟିରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଅଦୃଶ୍ୟ ରାକ୍ଷସ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି। କିଛି ଦିନର କରୋନାରୁ ତ୍ରାହି ପରେ ଏବେ ପୁଣି କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଦେଶର କିଛି ସ୍ଥାନରେ ଦେଖା ଦେଇଛି କରୋନା ଦ୍ୱିତୀୟ ଲହରୀ। ମହାରାଷ୍ଟ୍ର ସହ ୫ଟି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ଘଟିଛି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ବିଗତ ବର୍ଷକୁ ଦେଖିବା ତେବେ କରୋନା ପାଇଁ ଦେଶ ଦେଖିଛି ଅଭାବ ଆଉ ଅନଟନ। କରୋନାର କଳା ବର୍ଷ ହେଉଛି ୨୦୨୦। ଦେଶର ପ୍ରତିଟି ଅଞ୍ଚଳ କରୋନା ଭୂତାଣୁର ମାଡ଼ରେ ଆଘାତ ପାଇଛି।

କରୋନାର ରୂପ କେତେ ଭୟଙ୍କର ତାହା ଦେଶର ପ୍ରତିଟି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି। ପ୍ରତିଟି କ୍ଷେତ୍ରରେ ପଡ଼ିଛି କରୋନାର ଖରାପ ପ୍ରଭାବ। କରୋନାରେ ଗୋଟିଏ ପଟେ ଅନେକ ଲୋକ ଚାକିରୀ ହରାଇଥିବା ବେଳେ କିଛି ଲୋକଙ୍କର ଦରମା ହ୍ରାସ କରାଯାଇଥିଲା। ଦେଶର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି କରୋନା।

ମହାମାରୀରେ ଆର୍ଥିକ ସଙ୍କଟ କେତେ ଅସୁବିଧାର ସମ୍ମୁଖୀନ ହୋଇଛି ସେ ସମ୍ବନ୍ଧରେ ଏକ ଆକଳନ ପ୍ରକାଶ ପାଇଛି। ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟ ଅନୁଯାୟୀ, କରୋନା ପାଇଁ ଭାରତରେ ୩ କୋଟି ୨୦ ଲକ୍ଷ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସି ଆସିଛନ୍ତି।

ରିପୋର୍ଟ ଅନୁଯାୟୀ, ଦିନକୁ ୧୦ ରୁ ୨୦ ଡଲାର ରୋଜଗାର କରୁଥିବା ଭାରତୀୟଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଯେଉଁ କାରଣରୁ ୩ କୋଟି ୨୦ ଲକ୍ଷ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଆସିଛନ୍ତି। ଏଭଳି ରିପୋର୍ଟ ସମସ୍ତଙ୍କୁ ଏକ ପ୍ରକାରର ଝଟକା ଦେଇଛି। ଯଦି ଦେଖିବା ତେବେ ଗତ କିଛି ବର୍ଷ ମଧ୍ୟରେ ଭାରତର ମଧ୍ୟବିତ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ୨୦୧୧ରୁ ୨୦୧୯ ମଧ୍ୟରେ ୫୭୦ ଲକ୍ଷ ଲୋକ ମଧ୍ୟମ ଆୟ ଗୋଷ୍ଠୀରେ ଯୋଡ଼ି ହୋଇଥିଲେ। ଦେଶକୁ କରୋନା ଆସିବା ପୂର୍ବରୁ ଦେଶର ୯୯୦ ଲକ୍ଷ ଲୋକ ମଧ୍ୟବିତ୍ତ ଶ୍ରେଣୀରେ ଥିଲେ। ଗୋଟିଏ ବର୍ଷ ପରେ ଏହି ସଂଖ୍ୟା ୬୬୦ ଲକ୍ଷକୁ ଆସିଛି। ଏହି ସଙ୍କଟ ସମୟରେ ପଡୋଶୀ ଦେଶ ଚୀନ୍ ତୁଳନାରେ ଭାରତରେ ମଧ୍ୟବିତ୍ତଙ୍କ ସଂଖ୍ୟା ଅଧିକ ହ୍ରାସ ପାଇଛି।

ଆଉ ଏଭଳି ପରିସ୍ଥିତିରେ ଏବେ ଭାରତରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଦିନରେ ୩୯,୭୨୬ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହା ଗତ ବର୍ଷ ମଧ୍ୟରେ ସବୁଠାରୁ ସର୍ବାଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ, କ୍ରମାଗତ ନବମ ଦିନ ପାଇଁ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୭୧ ହଜାର ୨୮୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଯାହାକି ମୋଟ ସଂକ୍ରମଣର ୨.୩୬ ପ୍ରତିଶତ ଥିବାବେଳେ ଏହି ରୋଗରୁ ସୁସ୍ଥ ପାଇଥିବା ଲୋକଙ୍କ ସଂଖ୍ୟା ୯୬.୨୬ ପ୍ରତିଶତକୁ ହ୍ରାସ ପାଇଛି ।

 

Leave a Reply