spot_img

Latest Posts

ନବଜାତ ଶିଶୁକୁ ଭିଡିଓ କଲରେ ଦେଖିଲା ମାଆ

ମହାରାଷ୍ଟ୍ର: ଏ ଏମିତି ଜଣେ ମାଆ ଯିଏ ଜନ୍ମ ଦେଇଛି, ହେଲେ ଦେଇ ପାରୁନି ମାତୃତ୍ୱର ପହିଲି ପରଶ । ଇଏ ଏମିତି ଜଣେ ମାଆ, ଯିଏ ଗର୍ଭଯନ୍ତ୍ରଣା ସହିଛି ହେଲେ ଛାତି ଚିରି କ୍ଷୀର ପିଆଇ ପାରୁନି। ଏଇ ଏମିତି ଜଣେ ମାଆ ଯିଏ ଦୁନିଆର ଆଲୁଅ ସିନା ଦେଖାଇଛି ହେଲେ ନିଜେ କିନ୍ତୁ ଦେଖି ପାରୁନି ନିଜ ପିଲାକୁ। ମନଭରି କୋଳେଇ ପାରୁନା ତା କୋଳପୋଛାକୁ। ସେ ଶୁଣି ପାରୁନି ତା କୁଆଁକୁଆଁ ଡାକକୁ। କାରଣ ମାଆ ଓ ମମତା ଭିତରେ ଛିଡ଼ା ହୋଇଛି କରୋନାର କାନ୍ଥ । ନିବିଡ଼ ସଂପର୍କ ଭିତରେ ସଂକ୍ରମଣର ଆତଙ୍କ। ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରୁ ଆସିଛି ଜନ୍ମରୁ ବିଚ୍ଛେଦର ଏ ସମ୍ବେଦନଶୀଳ କାହାଣୀ । ଯେଉଁଠି କରୋନା ସଂକ୍ରମିତ ମାଆ ନିଜ ଜନ୍ମକଲା ଶିଶୁକୁ ଦେଖୁଛି ଭିଡିଓ କଲିଂରେ।

File Pic
File Pic

ଗଲା ୧୮ ତାରିଖରେ ଔରଙ୍ଗାବାଦ୍‌ ସିଟି ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଏହି ପ୍ରସୂତି। ପ୍ରସବ ପୂର୍ବରୁ ପରୀକ୍ଷା ବେଳେ ଜଣା ପଡିଲା ସେ କରୋନାରେ ଆକ୍ରାନ୍ତ । ଖୁବ୍‌ ସତର୍କତାର ସହ ଡାକ୍ତରୀ ଟିମ୍‌ ଆରମ୍ଭ କଲେ ପ୍ରସବକାଳୀନ ଚିକିତ୍ସା। ସିଜରିଆନ୍‌ରେ ଜନ୍ମହେଲା ଶିଶୁ କନ୍ୟା । ସୌଭାଗ୍ୟ, ଶିଶୁ ଥିଲା ସଂକ୍ରମଣ ମୁକ୍ତ । ତେବେ ଏଇଠୁ ଆରମ୍ଭ ହେଲା ମେଡିକାଲ୍‌ ଟିମ୍‌ ପାଇଁ ଚ୍ୟାଲେଞ୍ଜ । ତୁରନ୍ତ ମାଆ ଓ ଶିଶୁକୁ ଅଲଗା କରିଦେଲେ ଡାକ୍ତର। ସଂକ୍ରମଣ ଆଶଙ୍କାରେ ଦୁହିଁଙ୍କୁ ଭିନ୍ନ ଭିନ୍ନ ଆଇସୋଲେସନ୍‌ ୱାର୍ଡରେ ରଖା ଗଲା। ଆଉ ୫ ଦିନ ପରେ ମାଆ ନିଜ ଆବେଗକୁ ସମ୍ଭାଳି ପାରି ନଥିଲା । ଶେଷରେ ଭିଡିଓ କଲିଂରେ ମାଆ ଦେଖିଲା ନିଜ ଜନ୍ମକଲା ପିଲାକୁ । ଦେଖିଲା ତା ହସହସ ମୁହଁ। ଶୁଣିଲା ତା କୁଆଁ କୁଆଁ କାନ୍ଦ । ମାଆ ଓ ମମତା ଭିତରେ ମିଳନର ଏକ ଅଦୃଶ୍ୟ ଅନୁଭବ କେବଳ ଯାହା କଏଦ ହେଉଥିଲା ମୋବାଇଲ୍‌ ସ୍କ୍ରିନ୍‌ରେ। ଆତଙ୍କ ଭିତରେ ଆୟୁଷର ଏ ଅନନ୍ୟ ଦୃଶ୍ୟ ସତେ ଯେମିତି ସମସ୍ତଙ୍କୁ ଅଟକାଇ ଦେଇଥିଲା କିଛି ସମୟ ପାଇଁ ।

Latest Posts

Don't Miss