ସ୍ୱାସ୍ଥ୍ୟ ଏମରଜେନ୍ସି-ଲକ୍ ଡାଉନ୍ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ? କରୋନାକୁ ନେଇ ପିଏମଙ୍କ ସମ୍ବୋଧନ, ଅନୁମାନ ଓ ଆଶଙ୍କା ବଜାର ଗରମ

1 min read
  • ଭାରତରେ କରୋନା ଭାଇରସ ମାମଲା ବଢିଛି
  • ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି
  • କରୋନା ମୁକାବିଲା ପାଇଁ ପ୍ଲାନ୍ !

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶ ବ୍ୟାପି ଆତଙ୍କର ବାତାବରଣ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ରାତିରେ ଦେଶକୁ ସମ୍ବୋଧନ କରିବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୦ କରୋନା ପଜିଟିଭ ମାମଲା ଆସିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହାରି ଭିତରେ ମୋଦି ରାଷ୍ଟ୍ରକୁ ସମ୍ବୋଧନ କରିବାକୁ ନେଇ ଅନୁମାନ ଓ ଅଟକଳ ମଧ୍ୟରେ ବଜାର ଗରମ ହୋଇଛି । ପ୍ରଧାନମନ୍ତ୍ରୀ କରୋନା ମୁକାବିଲା ପାଇଁ ଘୋଷଣା କରି ପାରନ୍ତି, ଯେଉଁଥିରେ ସ୍ୱାସ୍ଥ୍ୟ.ଏମରଜେନସିଠାରୁ ଲକ୍ ଡାଉନ ଘୋଷଣା ସାମିଲ ଥାଇ ପାରେ ବୋଲି ଅନୁମାନ କରାଯାଉଛି ।  ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରିବେ ତାକୁ ପୂରା ଦେଶ ଅପେକ୍ଷା କରିଛି ।

କରୋନା ଉପରେ ବଡ ବୈଠକ, ଆଜି କରିବେ ସମ୍ବୋଧନ

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କରୋନା ଭାଇରସକୁ ନେଇ ବଡ଼ ବୈଠକ କରିଥିଲେ । ଯେଉଁଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାତି ୮ରେ ଦେଶକୁ ସମ୍ବୋଧନ କରିବେ ବୋଲି ଘୋଷଣା କରାଯାଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନୋଟ୍ ବ୍ୟାନ୍ ଓ ସ୍ପେସ୍ ଲଞ୍ଚ ପୂର୍ବରୁ ଦେଶକୁ ସମ୍ବୋଧନ କରିଥିଲେ ।

ଜାତୀୟ ଏମରଜେନ୍ସି – ଲକ୍ ଡାଉନ୍ କିମ୍ବା ଆଉ କିଛି ?

କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଘରେ ରହିବାକୁ ଓ ଗହଳି ବର୍ଜନ କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । କିଛି ରାଜ୍ୟ ମଧ୍ୟ ସ୍କୁଲ, କଲେଜ ଓ ସିନେମା-ମଲ ବନ୍ଦ କରିସାରିଲେଣି । ତେବେ ଏସବୁ ସୀମିତ କ୍ଷେତ୍ର ମଧ୍ୟରେ ହୋଇଛି । ଏମିତିରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱେଛାକୃତ ଲକ୍ ଡାଉନରେ ରହିବାକୁ ଅପିଲ କରି ପାରନ୍ତି ।

ଯଦି ପ୍ରଧାନମନ୍ତ୍ରୀ ନିଜେ ଲକ୍ ଡାଉନ୍ ଅପିଲ କରିବେ ତେବେ ଦେଶ ଏହାକୁ ଗମ୍ଭୀରତାର ସହ ନେବ । ଏହାଛଡା ଏହି ମହାମାରୀକୁ ଦେଖି ସେ ଜାତୀୟ ଜରୁରୀକାଳୀନ ପରିସ୍ଥିତି କିମ୍ବା ସ୍ୱାସ୍ଥ୍ୟ ଏମରଜେନ୍ସୀ ଲାଗୁ କଥା ମଧ୍ୟ ଘୋଷଣା କରି ପାରନ୍ତି ।

ଆମେରିକା ଭଳି ନିର୍ଣ୍ଣୟ ନେବେ କି ?

ଆମେରିକାରରେ ୮୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ସାମନାକୁ ଆସିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ଜାତୀୟ ଏମରଜେନ୍ସୀ ଘୋଷଣା କରିଥିଲେ । ୧୦ରୁ ଅଧିକ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକାଠି ନହେବା ପାଇଁ ଟ୍ରମ୍ପ ଅପିଲ କରିଥିଲେ । କେବଳ ଏତିକି ନୁହେଁ ଆମେରିକା ମଧ୍ୟ. ମେକ୍ସିକୋ ଓ ବାକି ପଡୋଶୀ ଦେଶଙ୍କ ସହ ନିଜ ସୀମାକୁ ସିଲ୍ କରିଦେଇଛି । ଏହାସହ କେବଳ ବ୍ରିଟେନକୁ ଛାଡି ବାକି ଦେଶରୁ ଆସୁଥିବା ବିଦେଶୀଙ୍କ ପ୍ରବେଶ ଉପରେ ରହିତାଦେଶ ଲାଗୁ କରିଛି । ଅନୁମାନ କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି ସେହିଭଳି କିଛି ବଡ଼ ପଦକ୍ଷେପ ଘୋଷଣା କରି ପାରନ୍ତି । ତେବେ ପ୍ରଧାନମନ୍ତ୍ରୀ କ’ଣ ଘୋଷଣା କରୁଛନ୍ତି ତାହା ତାଙ୍କ ସମ୍ବୋଧନ ପରେ ହିଁ ଜଣା ପଡ଼ିବ । ସେ ପର୍ଯ୍ୟନ୍ତ ପୂରା ଦେଶ ରାତି ୮କୁ ଅପେକ୍ଷା କରିବା ଏଥିରେ ସନ୍ଦେହ ନାହିଁ ।

Leave a Reply