କରୋନା ପାଇଁ ପିଏମ୍‌ କେୟାର ଫଣ୍ଡକୁ ବର୍ଷେ ଯାଏଁ ମାସକୁ ୫୦,୦୦୦ ଟଙ୍କା ଦେବେ ସିଡିଏସ୍‌ ଚିଫ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ପାର୍‌ ହୋଇସାରିଛି । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ମାସରେ ହିଁ ପିଏମ୍‌ କେୟାର ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ । ଏହା ପରେ ଦେଶର ସୈନିକମାନେ ଏହି ଫଣ୍ଡରେ ନିଜର ଗୋଟିଏ ଦିନର ଦରମା ଦେବାକୁ ଘୋଷଣା କରିଥିଲେ ।

ତେବେ ବର୍ତ୍ତମାନ ଚିଫ୍‌ ଅଫ୍‌ ଡିଫେନ୍ସ ଜେନେରାଲ୍ ବିପିନ ରାୱତ୍‌ ଏକ ବଡ଼ ଘୋଷଣାକ କରିଛନ୍ତି । ସେ କହିଛନ୍ତି, ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରତି ମାସରେ ଏକ ବର୍ଷ ପର୍ଯ୍ୟନ୍ତ ପିଏମ୍‌ କେୟାର ଫଣ୍ଡକୁ ଦାନ କରିବେ । ଜେନେରାଲ ରାୱତ ଏଥିପାଇଁ ବେତନ ଓ ଆକାଉଣ୍ଟସ ବିଭାଗକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେନେରାଲ୍‌ ରାୱତଙ୍କ ଏହି ଅନୁରୋଧକୁ ଗ୍ରହଣ କରାଯାଇଛି । ତେବେ ଏପ୍ରିଲ୍‌ ମାସର ପ୍ରଥମ କିସ୍ତି ୫୦ ହଜାର ଟଙ୍କା ତାଙ୍କ ବେତନରୁ କଟାଯାଇଛି ।

ଜେନେରାଲ ରାୱତ ଏହି ଟଙ୍କା ସ୍ୱଇଚ୍ଛାରେ ଦାନ କରିଛନ୍ତି । ସୈନ୍ୟମାନେ ଦେଇଥିବା ଗୋଟିଏ ଦିନର ଦରମାଠାରୁ ଏହା ଭିନ୍ନ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ତଥା ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ରାଜେନ୍ଦ୍ର ସିଂ ମଧ୍ୟ ନିଜ ବେତନର ୩୦ ପ୍ରତିଶତ କରୋନା ସହ ଲଢ଼ିବା ପାଇଁ ପିଏମ୍‌ କେୟାର ପାଣ୍ଠିରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply