କରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ବାୟୁମଣ୍ଡଳରେ ଘୂରିବୁଲୁଛି ଭାଇରସ

1 min read

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମାରାତ୍ମକ ଭାଇରସ ବାୟୁମଣ୍ଡଳରେ ଘୂରିବୁଲୁଛି । ଏହାସହ ଲୋକଙ୍କୁ କରିପାରେ ସଂକ୍ରମିତ । ଏହି ତଥ୍ୟକୁ ପ୍ରମାଣିତ କରିଛନ୍ତି ବୈଜ୍ଞାନିକ । ପୂର୍ବରୁ ଏକ ଧାରଣା ରହିଥିଲା ଯେ, ସାର୍ସ କୋଭିଡ ଭୂତାଣୁ ବିଭିନ୍ନ ବସ୍ତୁର ପୃଷ୍ଠଦେଶରେ ରହି ସଂକ୍ରମଣ ସୃଷ୍ଟି କରୁଥିଲା । ମାତ୍ର ସେହି ଧାରଣା ଏବେ ଭ୍ରାନ୍ତ ପ୍ରମାଣିତ ହୋଇଛି । ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ଯେଉଁଦେଶରେ ଲୋକମାନେ କୋଭିଡ ସମୟରେ ମାସ୍କ ବିଶେଷ ଭାବେ ବ୍ୟବହାର କରୁଥିଲେ ସେହି ଦେଶରେ ସଂକ୍ରମଣ ଅପେକ୍ଷାକୃତ କମ୍ ଥିଲା ।

ହାଇଦ୍ରାବାଦସ୍ଥିତ CSIR-CCMB ଓ ଚଣ୍ଡିଗଡ଼ସ୍ଥିତ CSIR-IMTech ପ୍ରତିଷ୍ଠାନର ମିଳିତ ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ, କୋଭିଡ ଭୂତାଣୁ ବାୟୁ ମଣ୍ଡଳରେ ଘୂରିବୁଲିବାର ପ୍ରମାଣ ମିଳିଛି । ଗବେଷଣାର ତଥ୍ୟ ଏରୋସଲ ସାଇନ୍ସ ମାଗାଜିନରେ ପ୍ରକାଶ ପାଇଛି । ଗବେଷକମାନେ ସଂକ୍ରମିତ ରୋଗୀ ଥିବା ସ୍ଥାନରୁ ବାୟୁ ନମୁନା ସଂଗ୍ରହ କରିଥିଲେ ଏବଂ ସେଥିରେ କରୋନା ଭାଇରସର ଜିନୋମକୁ ଗବେଷଣା କରିଥିଲେ । ବିଭିନ୍ନ ହସ୍ପିଟାଲ, ବନ୍ଦ ଥିବା କୋଠରି, ହୋମ କ୍ୱାରେଣ୍ଟାଇନରେ ଥିବା ଘର ଆଦିରୁ ବାୟୁ ନମୁନା ସଂଗ୍ରହ କରାଯାଇଥିଲା ।