କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି: ପ୍ରଧାନମନ୍ତ୍ରୀ
1 min readନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ଲକଡାଉନ୍ ସମୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏନେଇ ସରକାର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଇ-ଗ୍ରାମସ୍ୱରାଜ ପୋର୍ଟାଲ-ମୋବାଇଲ୍ ଆପ୍ ଏବଂ ମାଲିକାନା ଯୋଜନା ଆରମ୍ଭ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଆମକୁ ସବୁଠୁ ବଡ଼ ଶିକ୍ଷା ଦେଇଛି । ଏବେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଗ୍ରାମଗୁଡିକ ମଧ୍ୟ ସେମାନଙ୍କ ସ୍ତରରେ ଆତ୍ମନିର୍ଭରଶୀଳ ହେବାକୁ ପଡିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ‘କରୋନା ଆମ ସମସ୍ତଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛି । ପୂର୍ବରୁ ଆମେ କୌଣସି ସମସ୍ୟା ହେଲେ ଏହାର ଆଲୋଚନା ମୁହାଁମୁହିଁ କରୁଥିଲୁ, କିନ୍ତୁ ଆଜି ସମାନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବାକୁ ପଡୁଛି । କରୋନା ମହାମାରୀ ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି, ଯାହା ଆମେ କେବେ କଳ୍ପନା କରିନଥିଲୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି ମହାମାରୀ ଆମକୁ ନୂତନ ଶିକ୍ଷା ଏବଂ ବାର୍ତ୍ତା ଦେଇଛି । କରୋନା ସଙ୍କଟ ଆମକୁ ସବୁଠାରୁ ବଡ ଶିକ୍ଷା ଯେଉଁଟା ଦେଇଛି ତାହା ହେଉଛି ଆମକୁ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ଆତ୍ମନିର୍ଭରଶୀଳ ନ ହୋଇ ଏଭଳି ସଙ୍କଟର ମୁକାବିଲା କରିବା କଷ୍ଟକର । ଗାଁଗୁଡ଼ିକ ନିଜର ମୌଳିକ ଆବଶ୍ୟକତା ପାଇଁ ଆତ୍ମ ନିର୍ଭଶୀଳ ହେବା ସହ ଜିଲ୍ଲା ତା ସ୍ତରରେ, ରାଜ୍ୟ ତା ସ୍ତରରେ ଆତ୍ମନିର୍ଭରଶୀଳ ହେବା ଉଚିତ୍ ।
ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ସମଗ୍ର ଦେଶ କିପରି ଆତ୍ମନିର୍ଭରଶୀଳ ହେବା ଉଚିତ୍, ଏବେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ୫-୬ ବର୍ଷ ପୂର୍ବେ ଏକ ଅବଧି ଥିଲା ଯେତେବେଳେ ଦେଶରେ ଶହେରୁ କମ୍ ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ସଂଯୁକ୍ତ ଥିଲା । ବ୍ରଡବ୍ୟାଣ୍ଡ ବର୍ତ୍ତମାନ ୧.୨୫ ଲକ୍ଷରୁ ଅଧିକ ପଞ୍ଚାୟତରେ ପହଞ୍ଚିଛି । କେବଳ ଏତିକି ନୁହେଁ, ଗ୍ରାମଗୁଡିକରେ ସାଧାରଣ ସେବା କେନ୍ଦ୍ର ସଂଖ୍ୟା ମଧ୍ୟ ତିନି ଲକ୍ଷ ଅତିକ୍ରମ କରୁଛି ।
ସରକାରଙ୍କ କାର୍ଯ୍ୟକୁ ଗଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଭାରତରେ ମୋବାଇଲ ତିଆରି କରିବା ପାଇଁ ସରକାରଙ୍କ ଅଭିଯାନର ଫଳାଫଳ ଆଜି କମ୍ ମୂଲ୍ୟରେ ସ୍ମାର୍ଟ ଫୋନ୍ ଗାଁରେ ପହଞ୍ଚିଛି । ଆଜି ଏତେ ବଡ଼ ପରିମାଣରେ ଚାଲିଥିବା ଭିଡିଓ କନଫରେନ୍ସ, ଏହି କାରଣରୁ ଏସବୁ ସମ୍ଭବ ହୋଇପାରିଛି ।