ସାମାଜିକ ଦୂରତା ନିୟମ ଭାଙ୍ଗି ନମାଜ ପଢ଼ୁଥିଲେ, ୧୪ ଜଣଙ୍କୁ ଗିରଫ କଲା ପୋଲିସ

କର୍ଣ୍ଣାଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ୱର ସହ ନିୟମକୁ ପାଳନ କରୁଛନ୍ତି । ତେବେ କିଛି ଲୋକ ଲକ୍‌ଡାଉନ୍‌ ନିୟମକୁ ସଠିକ୍‌ ଭାବେ ପାଳନ କରୁନାହାନ୍ତି । ସାମାଜିକ ଦୂରତା ନିୟମକୁ ସେମାନେ ବେଖାତିର କରୁଛନ୍ତି । ଏଭଳି ଅମାନିଆ ଓ ବିଶୃଙ୍ଖଳିତ ଲୋକଙ୍କୁ ପୋଲିସ ଗିରଫ ମଧ୍ୟ କରୁଛି ।

ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି କର୍ଣ୍ଣାଟକର କୁଲବର୍ଗି ଜିଲ୍ଲାରୁ । ସାମାଜିକ ଦୂରତା ନିୟମ ଉଲଂଘନ କରିଥିବାରୁ ୧୪ ଜଣଙ୍କୁ ପୋଲିସ ଗିରଫ କରିଛି ।

ସେମାନେ ଏକାଠି ହୋଇ ନମାଜ ପାଠ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ କେବଳ ଚାରି ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ଦେଇଛି । ସୂଚନାଯୋଗ୍ୟ, ଏବେ ରମ୍‌ଜାନ୍‌ ମାସ ଆରମ୍ଭ ହୋଇଯାଇଛି । ହେଲେ ଲକ୍‌ଡାଉନ୍‌ ଯୋଗୁଁ ମୁସଲମାନ ଭାଇ ମାନଙ୍କୁ ବାରମ୍ବାର କୁହାଯାଉଛି ଘରେ ରହି ନମାଜ ପାଠ କରିବାକୁ ।

ପୂର୍ବରୁ ମଧ୍ୟ ସେହି କୁଲବର୍ଗି ଅଞ୍ଚଳରେ ସାମାଜିକ ଦୂରତା ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । କୁଲବର୍ଗି ମେଳାରେ ଶତାଧିକ ଲୋକ ଏକାଠି ହୋଇ ନିୟମ ଭାଙ୍ଗିଥିବା ଖବର କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା । ବାରଣ ସତ୍ତ୍ୱେ ଏଠାରେ ସିଦ୍ଧିଲିଙ୍ଗେଶ୍ୱର ମେଳା ଆୟୋଜନ କରାଯାଇଥିଲା । ଏଠାରେ ଶହଶହ ଲୋକ ସାମିଲ ହୋଇଥିଲେ ।

ଜଣେ ସ୍ଥାନୀୟ ବିଜେପି ନେତା ଏହି ମେଳାର ଆୟୋଜନ କରିଥିଲେ । ବିଜେପି ନେତା କହିଥିଲେ ରାଜ୍ୟରେ ତାଙ୍କ ସରକାର ଚାଲିଛି, ଆଉ ସେ ଏହି ଇଲାକାର ନେତା । ତେଣୁ କାହା ବିରୋଧରେ କୌଣସି ମାମଲା ହେବ ନାହିଁ । ଏହି ସମୟରେ ପୋଲିସ ନିଦା ବିଷ୍ଣୁ ପାଲଟିଥିଲା ।

ଏହାପୂର୍ବରୁ ମଧ୍ୟ କୁଲବର୍ଗିରେ ଲକଡାଉନ୍ ନିୟମକୁ ଅଣଦେଖା କରାଯାଇଥିଲା । ମାର୍ଚ୍ଚରେ ଏଠାରେ ପନିପରିବା ବଜାରରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ ।

Leave a Reply