ଚୀନରେ ବଢୁଛି କରୋନା ସଂକ୍ରମଣ, ୫କୋଟି ଲୋକ ଘରେ ବନ୍ଦି

ବେଜିଂ: ଚୀନରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । କରୋନା ଉତ୍ପତ୍ତିସ୍ଥଳରେ ପୁଣି ବିଗୁଡୁଛି ସ୍ଥିତି । ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଚୀନର ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ଚୀନରେ ୫ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ମହାମାରୀ ଆରମ୍ଭ ଦିନରୁ ଚୀନରେ ଏତେସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇ ନଥିବା ବେଳେ ବଢୁଥିବା ମାମଲାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

ସେପଟେ ସଂକ୍ରମଣ କମାଇବାକୁ କଡା ପ୍ରତିବନ୍ଧକ ଲଗାଇଛି ଚୀନ୍ । ଦିନକରେ ୫ହଜାର ୨୮୦ କେସ୍ ଚିହ୍ନଟ ହୋଇଥିବା ବେଳେ ୫କୋଟି ଲୋକ କଡ଼ା କଟକଣା ମଧ୍ୟରେ ରହିଛନ୍ତି । ତେବେ ସୋମବାର ଦିନ ୧,୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଦିନକରେ ଏତେ ସଂଖ୍ୟକ ବୃଦ୍ଧି ଚିନ୍ତା ବଢାଇଛି । ଜିଲିନ ଅଞ୍ଚଳର ପ୍ରାୟ ଅଢ଼େଇ କୋଟି ଲୋକ ଘେରାବନ୍ଦୀ ରହିଥିବା ବେଳେ ସେନଜେନର ଏକ କୋଟି ୭୫ଲକ୍ଷ ଲୋକ ଓ ଡୋଙ୍ଗୁଆଣର ଏକ କୋଟି ଲୋକ ଲକଡାଉନରେ ରହିଛନ୍ତି । ସଂକ୍ରମଣ ବଢୁଥିଲେ ବି କାହାରି ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି ।

ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଅନେକ ଲହର ଆସିଛି କିନ୍ତୁ ୨୦୨୦ ଫେବ୍ରୁଆରୀ ପରେ କେବେ ବି ଏତେ ଅଧିକ ମାମଲା ସାମ୍ନାକୁ ଆସିନାହିଁ । ଯଦିଓ ଏଥିରେ କୌଣସି କୋରନା ଜନିତ ମୃତ୍ୟୁ ହୋଇ ନାହିଁ । ଚୀନ ତାର ଜିରୋ କୋଭିଡ଼ ପଲିସି ପ୍ରସଂଶା କରିଛି । ଚୀନରେ ଯେତେବେଳେ ବି କରୋନାର ନୂଆ ଲହର ଆସିଥାଏ ସେତେବେଳେ ଚୀନ ତୁରନ୍ତ ଲକଡାଉନ କରିଥାଏ । ଏଥର ମଧ୍ୟ ଚୀନ ସେଇଆ କରିଛି । ଚୀନ ତାର ବେଜିଂ, ସଂଘାଇ, ଜିଲିନ୍ ଓ ଶୋନଜେନ ଭଳି ପ୍ରନ୍ତିୟ ଅଞ୍ଚଳରେ ଲକଡାଉନକୁ କଡ଼ା କରାଯାଇଛି ।