ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ: ୨୪ ଘଣ୍ଟାରେ ୧୦ହଜାର ୯୫୬ ପଜିଟିଭ, ୩୯୬ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ । ଗତ ୨୪ ଘଣ୍ଟାରେ ୧୦ହଜାର ୯୫୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ୩ଲକ୍ଷ ପାଖାପାଖି ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ୯୭ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ସାଢେ ୩ହଜାର ଟପିଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଆଡକୁ ମୁହାଁଉଛି ।

ସେହିପରି ତାମିଲନାଡୁ ଓ ଦିଲ୍ଲୀରେ ୩୦ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଗୁଜରାଟରେ ଅଣାୟତ ହେଉଛି ସ୍ଥିତି, ୨୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୟୁପି, ଏମ୍‌ପି ଓ ରାଜସ୍ଥାନରେ ୧୦ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେପଟେ ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୟୁକେ ଓ ସ୍ପେନ୍‌କୁ ଟପିଛି ।

ମେ ୨୪ ପରଠୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବଢିବାରେ ଲାଗିଛି । ସର୍ବାଧିକ ପ୍ରଭାବିତ ୧୦ ଦେଶ ମଧ୍ୟରେ ପ୍ରବେଶ କରିଥିଲା ଭାରତ । ଆଉ ମାତ୍ର ୧୮ ଦିନ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଗତ ସପ୍ତାହେ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ଦୈନିକ ୯ ହଜାରରୁ ଅଧିକ ବୃଦ୍ଧି ପାଉଛି ।

Leave a Reply