୭ ମାସର ଗର୍ଭବତୀ, ତଥାପି କରୋନା ବିରୋଧରେ ଛିଡା ହୋଇଛନ୍ତି ଆଦିବାସୀ ଅଞ୍ଚଳର ଏହି ସରପଞ୍ଚ

ପାରଳାଖେମୁଣ୍ଡି: କୋରନାକୁ ମୁକାବିଲା କରିବା ପାଇଁ ଜାରି ରହିଛି ଲଢେଇ । ଏହି ଲଢେଇରେ ସାମିଲ ହୋଇ କାର୍ଯ୍ୟ କରୁଥିବା  ଡାକ୍ତର, ପୋଲିସ , ସରକାରୀ କର୍ମଚାରୀ ଓ ପଞ୍ଚାୟତ ସ୍ତରରେ ମୁଖ୍ୟ ପୁରୋଧା ସାଜିଥିବା ସରପଞ୍ଚ ସମସ୍ତେ ହେଉଛନ୍ତି ଜଣେ ଜଣେ ଆଗଧାଡ଼ିର ଯୋଦ୍ଧା । ତେବେ ଆସନ୍ତୁ ଜାଣିବା ସେହିଭଳି ଜଣେ ଯୋଦ୍ଧାଙ୍କ ସମ୍ପର୍କରେ ।

ଜଣେ ଆଦିବାସୀ ମହିଳା ହୋଇ ମଧ୍ୟ ଜନପ୍ରତିନିଧି ଭାବରେ ନିର୍ବାଚିତ ହେବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଗୁମ୍ମା ବ୍ଳକର ରାଗିଡି ପଞ୍ଚାୟତର ସରପଞ୍ଚ ପବିତା ଗମାଙ୍ଗ ।  କୋରନା ମହାମାରୀ ସମୟରେ ଭୂତାଣୁ ସହ ମୁକାବିଲା କରିବା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ସରକାର । ସେଥିପାଇଁ ସେ ୭ ମାସର ଗର୍ଭବତୀ ଥିବା ସତ୍ତ୍ୱେ ଲୋକଙ୍କ ପାଇଁ କାମ କରୁଛନ୍ତି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଗରିବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଅନ୍ୟ ପକ୍ଷରେ ଗର୍ଭବତୀ ପବିତା ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହି କ୍ୱାରାଣ୍ଟାଇନ କେନ୍ଦ୍ରକୁ ମଧ୍ୟ ପରିଚାଳନା କରୁଛନ୍ତି । ସେ ଏଭଳି ସମୟରେ ଲୋକଙ୍କ ସେବା କରି ଖୁସି ଅନୁଭବ କରୁଥିବା କହିଛନ୍ତି ।

ଜଣେ ଉଚ୍ଚ ଶିକ୍ଷିତା ମହିଳା ହୋଇ ସରପଞ୍ଚ ହେବାଠାରୁ ଆରମ୍ଭ କରି ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିଆସୁଛନ୍ତି ପବିତା । ମହାମାରୀ କରୋନା ବିପଦ ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଗର୍ଭବତୀ ଥାଇ ସୁଦ୍ଧା ପ୍ରତ୍ୟେକ କ୍ଷେତ୍ରରେ ନିଜେ ସାମିଲ ହୋଇ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପଞ୍ଚାୟତବାସୀ । ଲୋକଙ୍କ ସେବା ସହିତ ନିଜ ପ୍ରତି ଯତ୍ନବାନ ହେବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ତେବେ କୋରନାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ସ୍ତରରେ ଜାରି ରହିଛି ଲଢେଇ ଏହି ଲଢେଇରେ ସାମିଲ ହୋଇ ନିଜ ଜୀବନକୁ  ବାଜି ଲଗେଇ କାର୍ଯ୍ୟ କରୁଥିବା ସମସ୍ତ ଯୋଦ୍ଧା ଧନ୍ୟବାଦର ପାତ୍ର ନିଶ୍ଚୟ ।

Leave a Reply