କେନ୍ଦୁଝରରେ କରୋନା ଗୁଜବ, ପୁଅ ପାଇଁ ୫ ଟଙ୍କା ଦେଲେ ଶନି ଦେବେ ମୁକ୍ତି !

କେନ୍ଦୁଝର: ସାରା ଦେଶରେ କରୋନା ଭାଇରସ୍‌ କୁ ନେଇ ଚହଳ ପଡ଼ିଛି । କରୋନା ଭୟରେ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଉଛନ୍ତି । କେଉଁଠି ହ୍ୟାଣ୍ଡସେକ ଛାଡ଼ି କିଏ ନମସ୍କାର କଲାଣିତ କିଏ ଦେହରେ ପଟି ଲଗାଇ ବୁଲିଲାଣି  । ଓଡ଼ିଶାରେ ମଧ୍ୟ ଏନେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଆପଣେଇଛନ୍ତି । କିନ୍ତୁ ଗାଁ ଗହଳିରେ ଏବେ କରୋନାକୁ ନେଇ ଏକ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳୁଛି । ପୂର୍ବରୁ ତୁଳସୀ ଗଛର ପତ୍ର କରୋନାର ରାମବାଣ ବୋଲି ପ୍ରଚାର ହେଲା । ଲୋକ ତୁଳସୀ ଗଛକୁ ନଣ୍ଡା କରିଦେଲେ ।  ଏବେ ଶିନି ମନ୍ଦିରରେ ଟଙ୍କା ଦାନ ଗୁଜବ ।

କେନ୍ଦୁଝର ଏବେ କରୋନା କୋକୁଆ ଭୟରେ ଥରହର । ଭୟ ଏତେ ଯେ, ସବୁ ପ୍ରକାର କଥାକୁ ଲୋକ ବିଶ୍ୱାସ କରୁଛନ୍ତି  । ତେଣିକି ତାହା ମିଛ ହେଉ କି ସତ ।  ଗତକାଲି ମାନେ ଶୁକ୍ରାବାରଠାରୁ ଫାଇଭ୍ ଜି ସ୍ପିଡରେ ଗୁଜବ ଦୌଡୁଛି । ଗୁଜବ ହେଉଛି  ଗୋଟିଏ ପୁତ୍ରରର ପିତାମାତା ଦୁଇଟି ପୁଅର  ବାପାମା’ଙ୍କ ପାଖରୁ ମାତ୍ର ୫ ଟଙ୍କା ଗ୍ରହଣ କରିବେ । ଏମିତି ୭ଟି ପରିବାରରୁ ୫ ଟଙ୍କା ସଂଗ୍ରହ କରିବାକୁ ପଡିବ । ତା’ପରେ ସେହି ଟଙ୍କାକୁ ନେଇ ଶନି ମନ୍ଦିରରେ ପୂଜା କରିବାକୁ ହେବ ।

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

କେନ୍ଦୁଝରରେ ଏହି ଗୁଜବ କାଲି ଉଡିବା ପରେ ଶନିବାର ସକାଳୁ ସକାଳୁ ଅବସ୍ଥା ଅସମ୍ଭାଳ ହୋଇପଡିଛି । ଟାଉନ କଥା ଛାଡନ୍ତୁ ଆଖପାଖ ଗାଁର ଲୋକ ଏବେ ଶନି ମନ୍ଦିର ଆଗରେ ଲାଇନ୍ ଲଗାଇଲେଣି । ତା’ସହ ଗୋଟିଏ ପୁଅର ବାପା ମା’ ଏମିତି ବାପା ମା’ଙ୍କୁ ଖୋଜୁଛନ୍ତି ଯେଉମାନଙ୍କର ଦୁଇଟି ପୁଅ ଥିବେ । କେନ୍ଦୁଝର ସିଦ୍ଧମଠରେ ଥିବା  ଶନି ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳୁଛି ।

ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର  । କରୋନାକୁ ନେଇ ଗୁଜବ ଉଡାଇଲେ ଦଣ୍ଡ ମିଳିବ ବୋଲି କହି ସାରିଛନ୍ତି । ଏମିତିକି ରାୟଗଡା ଜିଲ୍ଲାରେ ଜଣେ ଯୁବକ ସୋସିଆଲ ମିଡିଆରେ ଏମିତି ମିଛ ଖବର ଉଡାଇ ମାମୁଘର ଦର୍ଶନ କରିସାରିଲେଣି । ତଥାପି ଲୋକଙ୍କ ଉର୍ବର ମସ୍ତିଷ୍କରୁ ଗୁଜବ କମ୍ପୋଷ୍ଟ ବାହାରୁଛି ।

ଲାଗୁଛି କିଛି ଲୋକ ମହାମାରୀ ଭିତରେ ମହାମଜା ନେବାକୁ ଚାହୁଁଛନ୍ତି । ମନେ ରଖନ୍ତୁ ବିଶ୍ୱାସ ଭଲ । ଇଶ୍ୱର ଭକ୍ତି ମଧ୍ୟ ଭଲ । କିନ୍ତୁ ଇଶ୍ୱରଙ୍କ ନାମରେ ଗୁଜବ ଉଡାଇବା ସବୁଠୁ ବଡ ଭୁଲ । ଆପଣଙ୍କ ଗୁଜବ ଦେଶ ଓ ରାଜ୍ୟ ପାଇଁ ମହଙ୍ଗା ପଡିପାରେ । ଲୋକ ଆତଙ୍କିତ ହୋଇ ପାରନ୍ତି । ତେଣୁ ନିଜେ ଗୁଜବ ଉଡାନ୍ତୁ ନାହିଁ କି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।

Leave a Reply