‘ଲକ୍‌ଡାଉନ୍‌ ସତ୍ତ୍ୱେ ଦେଶର ଅର୍ଥ ବ୍ୟବ‌ସ୍ଥା ଭଲ ରହିଛି, ଚିନ୍ତାର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । କେବଳ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ବିପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ ସବୁ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌କୁ ସମର୍ଥନ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ ଭାଗ ନନେଇ ଚିଠି ମାଧ୍ୟମରେ ନିଜର ପରାମର୍ଶ ପଠାଇଥିଲେ ।

ଅନ୍ୟପଟେ ସାରା ଦେଶ ଏବେ ମାସେରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ତେଣୁ ଦେଶରେ କରୋନା ସଂକ୍ରମଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକ୍‌ଡାଉନ୍‌ ନିୟମକୁ ସାରା ଦେଶବାସୀ ପାଳନ କରିଛନ୍ତି । ଯାହାଫଳରେ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ନିଜର କାୟା ବିସ୍ତାର କରିପାରି ନାହିଁ । ରାଜ୍ୟ ସରକାରମାନେ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ବିଶେଷ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟମାନେ ଲକ୍‌ଡାଉନ୍‌ ଖୋଲିବା ନେଇ ଖସଡ଼ା ପ୍ରସ୍ତୁତ କରନ୍ତୁ । ରେଡ୍‌, ଅରେଞ୍ଜ ଓ ୟୋଲୋ ଜୋନ୍‌ ପ୍ରସ୍ତୁତ କରି ଲକ୍‌ଡାଉନ୍‌ ଖୋଲିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହାସହ ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ସେଠାରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ଏବଂ ଜିଲ୍ଲାଓ୍ୱାରୀ ଲକ୍‌ଡାଉନ୍‌ ଖୋଲିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଏହି ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ିବା କଥା ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଅର୍ଥନୀତି ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ଅର୍ଥବ୍ୟବସ୍ଥା ଭଲ ରହିଛି ।

Leave a Reply